୧୧ରେ ତୃତୀୟ ଛେନାପୋଡ଼ ଦିବସ: ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ

ସମସ୍ତଙ୍କୁ ନିମନ୍ତ୍ରଣ ଦେଲା ନୟାଗଡ଼ ବିକାଶ ମଞ୍ଚ

ଭୁବନେଶ୍ବର: ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଓ ନୟାଗଡ଼ ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍‌ ୧୧ ତାରିଖ ସକାଳ ୧୦ଟାରେ ଭୁବନେଶ୍ବର ଜୟଦେବ ଭବନଠାରେ ୩ୟ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହେଉଛି। ଏ ନେଇ ମଞ୍ଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ଏ ଉତ୍ସବର ଉଦ୍ଦେଶ୍ୟ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ଦିବସବ୍ୟାପୀ ଏହି ଉତ୍ସବରେ ଜିଲ୍ଲାର ରାଜନେତାମାନଙ୍କ ସହିତ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠାଶିଳ୍ପୀ ତାନସେନ୍‌ ସିଂ, ଲେଖକ ଓ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାଧିକାରୀ କରୁଣାକର ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଉମାକାନ୍ତ ମିଶ୍ର ଓ କିଟ୍‌ ବିଶ୍ବବିଦ୍ୟାଳୟର ଉପକୂଳପତି ତପନ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବେ। ଉତ୍ସବରେ ଅଧ୍ୟକ୍ଷତା କରିବେ ଜଣାଶୁଣା ଲେଖକ ତଥା ନୟାଗଡ଼ ବିକାଶ ମଞ୍ଚର ଆବାହାକ ଶୁଭ୍ରାଂଶୁ ପଣ୍ଡା।

ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ଏହି ଉତ୍ସବରେ ଛେନାପୋଡ଼ ସଙ୍ଗୀତର ଏକ ଚିତ୍ରରୂପ ଲୋକାର୍ପଣ କରାଯିବ।। ଉତ୍ସବରେ ସଭା, ସମ୍ବର୍ଦ୍ଧନା, ବନ୍ଧୁମିଳନ ଓ ପେଟପୂଜା ସାଙ୍ଗକୁ ପାଲା, ଦାସକାଠିଆ, ବାଘଶବର ନାଚ, ଧୁଡ଼ୁକି, ଦଣ୍ଡନାଚ, ରାମଲୀଳା, ଢଣକୋଇଲା, ଦୁଆରି, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯିବ। ସେହିପରି ନୟାଗଡ଼ରୁ ଆନୀତ ସ୍ବତନ୍ତ୍ର ଛେନାପୋଡ଼ ସାଙ୍ଗକୁ ଅନ୍ୟାନ୍ୟ ନୟାଗଡ଼ ଦ୍ରବ୍ୟ ମଧ୍ୟ ଉତ୍ସବରେ ପ୍ରଦର୍ଶିତ କରାଯିବ। ପୂର୍ବ ବର୍ଷମାନଙ୍କ ପରି ଏଥର ମଧ୍ୟ ଜିଲ୍ଲାର ଜଣେ ଶ୍ରେଷ୍ଠ ଛେନାପୋଡ଼ କାରିଗରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ।

ଛେନାପୋଡ଼କୁ ଜିଆଇ (ଭୌଗୋଳିକ ସ୍ବୀକୃତି) ମାନ୍ୟତା ଦେବା ଲାଗି ତିନିବର୍ଷ ହେଲା ମଞ୍ଚ ଉଦ୍ୟମ କରିଆସିବା ସହ ଛେନାପୋଡ଼ର ସ୍ରଷ୍ଟା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁୁ ଛେନାପୋଡ଼ ଦିବସ ଭାବେ ପାଳନ କରିଆସୁଛି। ଆଗକୁ ଜିଆଇ ମାନ୍ୟତା ନେଇ ପ୍ରଚେଷ୍ଟା ତୀବ୍ରତର ହେବ ବୋଲି ଆଜି ମଞ୍ଚର କର୍ମକର୍ତାମାନେ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ଅବହେଳିତ ହୋଇ ପଡ଼ିଥିବା ବିଶ୍ବିବଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମସ୍ଥଳରେ ଏକ ସ୍ମାରକୀ ନିର୍ମାଣ ସାଙ୍ଗକୁ କବି ଯଦୁମଣି ଓ ପାଠାଗାର ଆନ୍ଦୋଳନର ପିତାମହ ଦାସିଆ ଅଜାଙ୍କ ଜନ୍ମପୀଠର ବିକାଶ ପାଇଁ ମଧ୍ୟ ନୟାଗଡ଼ ବିକାଶ ମଞ୍ଚ ସରକାରଙ୍କ ପାଖରେ ଦାବି ରଖିଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଦାବିକୁ ନିଜନିଜର ନିର୍ବାଚନୀ ଇସ୍ତାହାରରେ ରଖିବା ପାଇଁ ମଞ୍ଚ ଜିଲ୍ଳାର ସମସ୍ତ ରାଜନେତାଙ୍କ ଉପରେ ଚାପ ପକାଇବ ବୋଲି ଆବାହକ ଶ୍ରୀ ପଣ୍ଡା କହିଛନ୍ତି।

ଛେନାପୋଡ଼ ହେଉଛି ଓଡ଼ିଶାର ଗୌରବ ଏବଂ ଛେନାପୋଡ଼ ଦିବସ ଉତ୍ସବ ହେଉଛି ଓଡ଼ିଶାର। ଏଣୁ ଏଥିରେ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗଦେଇ ସମାରୋହକୁ ସଫଳ କରାଇବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି। ଗତକାଲି (ସୋମବାର) ରାତିରେ ମଞ୍ଚର ଏକ ପ୍ରତିନିଧି ମଣ୍ଡଳୀ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଥିବାବେଳେ ଆଜି ରାଜ୍ୟବାସୀଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଖୋଲା ନିମନ୍ତ୍ରଣ ପଠାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସକ୍ରିୟ ସଦସ୍ୟ ସୁବ୍ରତ କୁମାର ନାୟକ, ଆଶିଷ କୁମାର ରଥ, ସତ୍ବେନ୍ଦୁ ଶେଖର ମିଶ୍ର, ଆଶୁତୋଷ ଦାସ, ଉମାକାନ୍ତ ମହାପାତ୍ର, ସୁଧାଂଶୁ ଶେଖର ସାହୁ ଓ ରାଜକିଶୋର ଡାକୁଆଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.