- ଶ୍ରମିକମାନେ ହେଉଛନ୍ତି ବିକାଶର ସାରଥୀ
- ଶ୍ରମିକଙ୍କ କଲ୍ୟାଣ ପାଇଁ ବିଏସକେୱାଇ ଭଳି ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ
- କ୍ଷମତାକୁ ଆସିବା ମାତ୍ରେ ବିଏସକେୱାଇ ଯୋଜନା ବନ୍ଦ କରିଦେବେ ଧର୍ମେନ୍ଦ୍ର
- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡିଶାର କେତେ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦେଉଛନ୍ତି ବୋଲି ଉଠିଲା ପ୍ରଶ୍ନ
- ରାଜ୍ୟ ସରକାର ଗରିବ, ଚାଷୀ ଓ ଶ୍ରମିକଙ୍କ ପିଲାଙ୍କ ପାଠପଢା ପାଇଁ ଆରମ୍ଭ କରିଛନ୍ତି ନୂଆ-ଓ ସ୍କଲାରସିପ୍
- ନିର୍ବାଚନ ଇସ୍ତାହାରରେ ଶ୍ରମିକଙ୍କ ପ୍ରସ୍ତାବ ସାମିଲ କରିବ ବିଜୁ ଜନତା ଦଳ
ଭୁବନେଶ୍ୱର, ୨୧/୦୪/୨୪:: ରାଜ୍ୟର ୧ ନମ୍ବର ଯୋଜନା ହେଉଛି ବିଏସକେୱାଇ । ଶ୍ରମିକ, ଚାଷୀ ଓ ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ପ୍ରଣୟନ କରିଛନ୍ତି । ବଡ ବଡ ହସପିଟାଲରେ ଚିକିତ୍ସା କରାଇବା ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସାହସ ଦେଇଛନ୍ତି । ଏହି ଯୋଜନାରେ ପ୍ରତି ମାସରେ ୨୬୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଲକ୍ଷେ ୫୦ ହଜାର ପରିବାର ମାଗଣାରେ ଚିକିତ୍ସା ସେବା ପାଉଛନ୍ତି । ରାଜ୍ୟର ପାଖାପାଖି ୯୦ ପ୍ରତିଶତ ଲୋକ ଏହି ଯୋଜନାର ସୁଫଳ ପାଉଛନ୍ତି । ଏହି ଯୋଜନାକୁ ନେଇ ସମସ୍ତେ ଖୁସୀ ଅଛନ୍ତି । କିନ୍ତୁ ଲୋକଙ୍କ ଖୁସୀ ଦେଖିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ । ସେ କ୍ଷମତାକୁ ଆସିଲା ମାତ୍ରେ ପ୍ରଥମେ ବିଏସକେୱାଇ ଯୋଜନାକୁ ବନ୍ଦ କରିବେ । ନାଁ ନନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖା ଖୋଲିଛନ୍ତି ଫାଇଭଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ବରାବର ଷଡ଼ଯନ୍ତ୍ର କରୁଛନ୍ତି । ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଜୁ ଶ୍ରମିକ ସାମୁଖ୍ୟ କନଭେନସନରେ ଏହା କହିଛନ୍ତି ପାଣ୍ଡିଆନ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ଅପାରଗତାକୁ ବି ସାମ୍ନାକୁ ଆଣିଛନ୍ତି ପାଣ୍ଡିଆନ । ଓଡ଼ିଶାରେ ୯୮ ପ୍ରତିଶତ କଲେଜ ପିଲାଙ୍କୁ ନୂଆ-ଓ ସ୍କଲାରସିପ ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦେବାରେ ଓଡ଼ିଶା ଭାରତ ବର୍ଷରେ ପ୍ରଥମ ଓ ଏକମାତ୍ର ରାଜ୍ୟ । ତେବେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର କେତେ ପିଲାଙ୍କୁ ବୃତ୍ତି ଦେଉଛନ୍ତି ବୋଲି ଜବାବ ମାଗିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ଶ୍ରମିକ, ଚାଷୀ ଓ ଗରିବ ଘରର ପିଲାଙ୍କ ପଢିବା ପାଇଁ ଫିସ ଦେବା, ବହି-ଖାତା କିଣିବା ଆଦି ବୋଝ ସେମାନଙ୍କ ବାପା ମା’ଙ୍କ ଉପରେ ନପଡୁ ବୋଲି ମୁଖ୍ୟମନ୍ତ୍ରୀ ଏହି ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଶ୍ରମିକ ପରିବାରର ପିଲାମାନେ ଉପକୃତ ହେବେ । କଲେଜରେ ପାଠ ପଢୁଥିବା ୯୮ ପ୍ରତିଶତ ପିଲା ଏହି ଯୋଜନାର ସୁଫଳ ପାଉଛନ୍ତି ।
ଶ୍ରମିକଙ୍କୁ ବିକାଶର ସାରଥି ଭାବେ ଗ୍ରହଣ କରି ସେମାନଙ୍କର ଉନ୍ନତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା କରୁଛନ୍ତି । ସେଥିପାଇଁ ନିକଟରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୧୦୦ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଐତିହାସିକ ପଦକ୍ଷେପ । ବିଜୁବାବୁ ଏକଦା ଶ୍ରମିକଙ୍କ ସର୍ବନିମ୍ନ ପାରିଶ୍ରମିକ ଦୁଇଗୁଣା କରି ରେକର୍ଡ କରିଥିଲେ । ବିକାଶର ସାରଥୀ ହେଲେ ଶ୍ରମିକ । ସେମାନେ ଖୁସୀରେ ରହିଲେ ବିକାଶ ଆହୁରି ସହଜ ହେବ ବୋଲି ପାଣ୍ଡିଆନ କହିଛନ୍ତି । ସଶକ୍ତ ଶ୍ରମିକ, ସଶକ୍ତ ଓଡ଼ିଶା । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ଏକକାଳୀନ ୧୦୦ଟଙ୍କା ବୃଦ୍ଧି ପଛର ଘଟଣାବଳୀ ସମ୍ପର୍କରେ ସୂଚନା ଦେଇଥିଲେ ପାଣ୍ଡିଆନ । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧିପାଇଁ ଯେଉଁ ପ୍ରସ୍ତାବ ଆସିଥିଲା ସେଥିରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ହୋଇନଥିଲେ । ନିଜେ ହସ୍ତକ୍ଷେପ କରି ଏକକାଳୀନ ୧୦୦ଟଙ୍କା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ବାର୍ଷିକ ୪ହଜାର କୋଟି ଟଙ୍କାର ବୋଝ ମୁଣ୍ଡାଇବାକୁ ପଡିବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି ଏବଂ ସେମାନେ ହିଁ ନୂଆ ଓଡିଶାର ସାରଥୀ ବୋଲି ହୃଦୟଙ୍ଗମ କରିଥିବାରୁ ଏହି ବୋଝକୁ ଭୃକ୍ଷେପ କରିନଥିଲେ ।
ପୁଞ୍ଜି ଆଣିବା କ୍ଷେତ୍ରରେ ସମଗ୍ର ଦେଶରେ ମହାରାଷ୍ଟ୍ର ତଳକୁ ଦ୍ବିତୀୟ ସ୍ଥାନରେ ରହିଛି ଓଡିଶା । ଶ୍ରମିକମାନଙ୍କ ସହଯୋଗ ଓ ସଂପୃକ୍ତି ରହିଲେ ଯାଇ ଏହି ପୁ଼ଞ୍ଜି ବିନିଯୋଗର ସୁଫଳ ରାଜ୍ୟକୁ ମିଳିବ । ସେଥିପାଇଁ ନୂଆ ଓଡିଶା ଗଠନ କ୍ଷେତ୍ରରେ ଶ୍ରମିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ପାଣ୍ଡିଆନ କହିଥିଲେ । ଏଥିସହ ଶ୍ରମିକମାନଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ ସେ। କିଛି ଲୋକ ରାଜନୀତି ପାଇଁ ମିଛ କହି ମିଛ ପ୍ରଚାରରେ ବିଶ୍ବାସ କରନ୍ତି । ହେଲେ ନବୀନ ସବୁବେଳେ କାମରେ ବିଶ୍ବାସୀ । ସମସ୍ତେ ମିଳିମିଶି ନବୀନଙ୍କ ନେତୃତ୍ବରେ ନୂଆ ଓଡ଼ିଶା ଗଠନ କରିବାକୁ ଫାଇଭ-ଟି ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି । ଆଗାମୀ ଦିନରେ ଶ୍ରମିକଙ୍କ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯିବ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଏଥିପାଇଁ ଯଦି ପାଣ୍ଠିର ଅଭାବ ରହିଥିବ, ତାହେଲେ ରାଜ୍ୟ ବଜେଟରୁ ପାଣ୍ଠି ଯୋଗାଇଦିଆଯିବ ବୋଲି କହିଛନ୍ତି ପାଣ୍ଡିଆନ ।
ନିର୍ବାଚନ ପରିପ୍ରେକ୍ଷୀରେ ବିଜୁଜନତା ଦଳ ତାର ନିର୍ବାଚନୀ ଇସ୍ତାହାର ଆଣିବାକୁ ଯାଉଛି । ଶ୍ରମିକମାନେ ଯଦି କିଛି ପ୍ରସ୍ତାବ ଦିଅନ୍ତି ତାହେଲେ ତାକୁ ଇସ୍ତାହାରରେ ସ୍ଥାନିତ କରାଯିବ । ଇସ୍ତାହାରରେ ସ୍ଥାନ ପାଇଲେ ସରକାର କ୍ଷମତାକୁ ଆସିବା ମାତ୍ରେ ଅର୍ଥାତ ପ୍ରଥମ କ୍ୟାବିନେଟରେ ହିଁ ତାକୁ ଅନୁମୋଦନ ମିଳିବ ବୋଲି କହିଛନ୍ତି ପାଣ୍ଡିଆନ । ନବୀନ ସରକାର ଲୋକଙ୍କର, ସବୁବେଳେ ଲୋକଙ୍କ ପାଇଁ ହିଁ ଚିନ୍ତା କରିବ ବୋଲି ପାଣ୍ଡିଆନ ପ୍ରତିଶୃତି ଦେଇଛନ୍ତି ।