ବିଜେଡ଼ିରେ ଯୋଗଦେଲେ ବଡଚଣା ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ଏବଂ ବିଜେପି ନେତା ଓ କର୍ମୀ

ଭୁବନେଶ୍ୱର, ୦୩/୦୫/୨୦୨୪: ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡଚଣା ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ, ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ବିଜେଡି ସାଧାରଣ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ଲେଙ୍କା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ବଡଚଣା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ଲେଙ୍କା କହିଥିଲେ । ବିଜେଡିରେ ମିଶିଛନ୍ତି ପୂର୍ବତନ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ଶ୍ରୀମନ୍ତିନୀ ଜେନା, ରାଜ୍ୟ ବିଜେପିର କାଉନସିଲ ସଦସ୍ୟ ରମାକାନ୍ତ ରାଉତ, ବିଜେପି ଜିଲ୍ଲା କମିଟି ସଦସ୍ୟ ପ୍ରଦୀପ୍ତ ଜେନା ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସେବତୀ ଜେନା ଆଦି ପ୍ରମୁଖ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ଓ କଂଗ୍ରେସ କର୍ମୀମାନେ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ସରପଞ୍ଚ ରମେଶ ପୃଷ୍ଟି, ଅନନ୍ତ ଚରଣ ଶେଣ୍ଢ, ଧୂଳେଶ୍ୱର ଦାସ, ମନୋଜ ରାୟ, ଅମ୍ବୁଜା ରାଉତ, ବିଷ୍ଣୁପ୍ରିୟା ରାୟ, କେଶବ ଦାସ, ନିହାର ରଂଜନ ସାମଲ ଓ ଅରବିନ୍ଦ ସାମଲଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.