ନିର୍ବାଚନ କମିଶନଙ୍କ ଛାଟ: ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନ ଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ ଓ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆଜି ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି କରିଛନ୍ତି । ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା ଆର କାତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସୁଜାତା ନିଜର ପଦ ଓ କ୍ଷମତାର ଦୁରୂପଯୋଗ କରି ବିଜେଡିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଗତକାଲି ଅଭିଯୋଗ କରିଥିଲା ।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୦ ବ୍ୟାଚ୍ ଆଇଏଏସ୍ ତଥା ମିଶନ ଶକ୍ତି ବିଭାଗର ସଚିବ ତଥା କମିଶନର ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀମତୀ ପଣ୍ଡିତ ମଧ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ତୁଲାଇବେ ।

ସୁଜାତା ଏବେ ମିଶନ ଶକ୍ତି ବିଭାଗ ସହ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାର ଆଜି ତାଙ୍କୁ ଉଭୟ ଦାୟିତ୍ୱରୁ ଅବ୍ୟାହତି ଦେଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରିଛନ୍ତି । ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି । ଏହି ନିର୍ଦ୍ଦେଶନାମା ଜାରି ହେବା ସହ ନିର୍ବାଚନ କମିଶନଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.