ମହାପ୍ରଭୁଙ୍କ ଚାପ ଖେଳ ବେଳେ ଅଘଟଣ; ବାଣ ବିସ୍ଫୋରଣ ଘଟି ୩ ମୃତ, ୩୦ ଆହତ

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଖେଳ ବେଳେ ବାଣ ବିସ୍ଫୋରଣ ଘଟି ଜଣେ ନାବାଳକର ମୃତ୍ୟୁ ହୋଇଛି। ଏଥିରେ ୩୦ରୁ ଅଧିକ ଆହତ ହୋଇଛନ୍ତି ।

ପୁରୀ: ପୁରୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଛି ଅଘଟଣ। ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଖେଳ ବେଳେ ବାଣ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଗୁରୁତର ହୋଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ନାବାଳକ ଥିବା ଜଣାଯାଇଛି। 

ଗତ ରାତିରେ ମହାପ୍ରଭୁଙ୍କ ଭଉଁରୀ ନୀତି ଚାଲିଥିବା ସମୟରେ ନୀତି ଦେଖିବାପାଇଁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା। ଏହି ସମୟରେ ଦେବୀଘାଟ ନିକଟ ଦସତୁଠ ନିକଟରେ ବାଣ ବିସ୍ଫୋରଣ ହୋଇଥିଲା। ଏଥିଯୋଗୁ ନିଆଁ ହୁଳା ଉପସ୍ଥିତ ଲୋକଙ୍କ ଉପରେ ପଡ଼ିବାରୁ ସେମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ପାଣିକୁ ମଧ୍ୟ ଡେଇଁ ପଡିଥିଲେ ।  ବାଣ ପଡ଼ି  ସେଠାରେ ଉପସ୍ଥିତ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ସେମାନଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ଏବଂ ଭୁବନେଶ୍ୱର ଓ କଟକର ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଣ ଫୁଟି ପୋଡ଼ି ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ଛୋଟ ପିଲା ମଧ୍ୟ ଅଛନ୍ତି। କଟକରେ ଜଣେ ୧୫ ବର୍ଷୀୟ ନାବାଳକ ଓ ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲରେ ଦୁଇ ଜଣ ଆଖି ବୁଜିଛନ୍ତି। 

ଗତ ରାତିରେ ଏପରି  ଅଚାନକ ବାଣ ଫୁଟିବାରୁ ହସଖୁସିର ପରିବେଶ ହଠାତ୍‌ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ସମ୍ପର୍କୀୟମାନେ ଆହତଙ୍କୁ ଧରି ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା।

ଏନେଇ ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି, ଚନ୍ଦନ ଯାତ୍ରା ବେଳେ ଏପରି ଅଘଟଣ ଘଟିଛି। ଗୁରୁତରଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି। ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଆମର ପ୍ରଥମ କର୍ତ୍ତବ୍ୟ । ଏହାପରେ ଘଟଣାର ତଦନ୍ତ କରାଯିବ ।

ସୂଚନା ଅନୁସାରେ,  ରାତି ପ୍ରାୟ ସାଢ଼େ ଦଶଟା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ନୀତି ଚାଲୁଥିବା ବେଳେ ଦେବୀଘାଟ ପଟ ତୁଠ ନିକଟରେ ବାଣ ଗଦା କରି ଲୋକମାନେ ବାଣ ଫୁଟାଉଥିଲେ। ତେବେ, ଫୁଟିଥିବା ବାଣରୁ କିଛି ଝୁଲ ଆସି ଏହି ବାଣଗଦାରେ ପଡ଼ିଯିବାରୁ ସେଠାରେ ବାଣ ବିସ୍ଫୋରଣ ଘଟିଥିଲା। ପ୍ରାୟ ୫୦ରୁ ଅଧିକ ବାଣ ଫୁଟିଥିଲା। ଯାହାଫଳରେ, ସେଠାରେ ଥିବା ଦେଖଣାହାରୀମାନେ ଗୁରୁତର ହୋଇପଡ଼ିଥିଲେ। ଏହି ବିସ୍ଫୋରଣ ଘଟିବାରୁ ସେଠାରେ ଥିବା ଲୋକମାନେ ମଧ୍ୟ ଏଣେତେଣେ ଦୌଡ଼ିବାରୁ ଅନେକ ଆହତ ହୋଇଥିଲେ। ସେହିପରି ଲୋକମାନେ ଭୟଭୀତ ହୋଇ ନରେନ୍ଦ୍ର ପୁଷ୍କରିଣୀକୁ ମଧ୍ୟ ଡେଇଁପଡ଼ିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ଲୋକମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ବାଣ ବିସ୍ଫୋରଣରେ ପ୍ରାୟ ୫ ଜଣ ନାବାଳକ ସମେତ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ।

ତେବେ, ପୋଖରୀରେ କେତେଜଣ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ମାତ୍ର, ରାତି ହୋଇଥିବାରୁ ଏ ନେଇ କୌଣସି ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ। ତେବେ, ଖବର ପାଇ ଅଗ୍ନିଶମ ବିଭାଗର ଆଗ୍ନିକ ଓ ଲାଇଫ୍‌ଗାର୍ଡମାନେ ଘଟଣାସ୍ଥଳରେ ପହଞ୍ଚି ନରେନ୍ଦ୍ର ପୁଷ୍କରିଣୀରୁ କେତେଜଣ ଆହତଙ୍କୁ ଉଦ୍ଧାର କରିଥ‌ି‌ଲେ। ସେହିପରି, ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର, ଡାକ୍ତର ଓ ସେବା ଯୋଗାଣକାରୀଙ୍କ ଅଭାବ ଯୋଗୁଁ ଏଠାରେ ଚିକିତ୍ସା ସେବା ଯୋଗାଇବାରେ ପ୍ରଶାସନ ବିଫଳ ହୋଇଥିଲା। ଲୋକମାନେ ଆମ୍ବୁଲାନ୍ସ ଖୋଜୁଥିଲେ ମଧ୍ୟ ଆବଶ୍ୟକୀୟ ଆମ୍ବୁଲାନ୍ସ ମିଳିନଥିଲା। ଏଭଳି ପରିସ୍ଥିତିରେ ପ୍ରଶାସନ ଓ ପୁଲିସ ପ୍ରଶାସନ ହାତଟେକି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ, ସ୍ଥାନୀୟ ଲୋକମାନେ ସଙ୍କଟାପନ୍ନ ଥିବା ଆହତମାନଙ୍କୁ କଟକକୁ ସ୍ଥାନାନ୍ତର କରାଇଥିଲେ। ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକ ଖଣ୍ଡିଆବନ୍ଧ ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ, ଏସ୍‌ପି ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିବା ସହିତ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବିନା ଅନୁମତିରେ ୩ ଲକ୍ଷ ଟଙ୍କାର ବାଣ ଗଚ୍ଛିତ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏବଂ ନିଜଆଡ଼ୁ ପୁଲିସ ମାମଲା ରୁଜୁ କରିବ।

Leave A Reply

Your email address will not be published.