୭୦ଟି କେନ୍ଦ୍ରର ୩୫୮୯ଟି ଟେବୁଲରେ ହେବ ଗଣତି: ଏଥର ଭୋଟ୍ ହାର ୭୪.୪୪%, ଅଧିକ ମହିଳା ଭୋଟର

ମତଦାନ ହାର ଜାଣିବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ରହିଛି। ଭୋଟର ହେଲପଲାଇନ୍ ଆପ୍ ମାଧ୍ୟମରେ ବି ଫଳାଫଳ ଜାଣିହେବ ବୋଲି ଶ୍ରୀ ଧଳ କହିଛନ୍ତି।

ଭୁବନେଶ୍ୱର: ଆସନ୍ତାକାଲି ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ଆସିବ । ଭୋଟ୍ ଗଣତି ପାଇଁ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ମୋଟ ୭୦ଟି ଭୋଟଗଣତି କେନ୍ଦ୍ର ସ୍ଥାପନ କରାଯାଇଛି । ଏସବୁ କେନ୍ଦ୍ରରେ ୩୫୮୯ଟି ଟେବୁଲରେ ଏହି ଗଣତି ହେବ । ରାଜ୍ୟର ପ୍ରାୟ ଅଢ଼େଇ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିବାବେଳେ ଏଥର ପୁରୁଷଙ୍କ ତୁଳନାରେ ୨ ପ୍ରତିଶତରୁ ଅଧିକ ମହିଳା ଭୋଟ୍ ଦେଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ମୋଟ ୭୦ଟି ଭୋଟ୍ ଗଣତି କେନ୍ଦ୍ରରେ  ଭୋଟ ଗଣନା ହେବ । ପୋଷ୍ଟାଲ ବାଲାଟ୍ ପାଇଁ କେବଳ ଛତ୍ରପୁରରେ ଗୋଟିଏ ସ୍ୱତନ୍ତ୍ର ଭୋଟଗଣତି କେନ୍ଦ୍ର ରହିବ । ବାକି ୬୯ଟି କେନ୍ଦ୍ରରେ ଉଭୟ ଇଭିଏମ୍ ଓ ପୋଷ୍ଟାଲ ବାଲାଟ ଗଣନା ହେବ । ଏସବୁ କେନ୍ଦ୍ରରେ ବିଧାନସଭା ନିମନ୍ତେ ୧୭୯୯ଟି ଗଣନା ଟେବୁଲ ଓ ଲୋକସଭା ପାଇଁ ୧୭୯୦ଟି ଟେବୁଲରେ ଗଣନା ହେବ । କେବଳ ୮ଟି ବିଧାନସଭା କ୍ଷେତ୍ରକୁ ବାଦ୍ ଦେଲେ ବାକି ୧୩୯ଟି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ଗଣତି ହେବ । ଚିତ୍ରକୋଣ୍ଡା, ବିଷମକଟକ, ମୋହନା,ଲୋଇସିଂହା, ରାଇରଙ୍ଗପୁର, ସାରସକଣା, ଆଳ ଓ ପାଟକୁରା ବିଧାନସଭା ଆସନରେ ୩୦ରାଉଣ୍ଡରୁ ଅଧିକ ଗଣତି ହେବ ।

ଚଳିତଥର ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ବିଧାନସଭା ପାଇଁ ମୋଟ ୧.୪୬ଲକ୍ଷ ଭୋଟ୍ ଓ ଲୋକସଭା ପାଇଁ ୧.୪୭ଲକ୍ଷ ଭୋଟ୍ ପଡ଼ିଛି । ରାଜ୍ୟରେ ଚଳିତଥର ମତଦାନ ହାର ବୃଦ୍ଧି ପାଇଛି । ୨୦୧୯ରେ ମତଦାନ ହାର ୭୩.୦୯% ଥିବାବେଳେ ୨୦୨୪ରେ ୭୪.୪୪% କୁ ବୃଦ୍ଧି ପାଇଛି । ୨୦୨୪ ସାଧାରଣ ନିର୍ବାଚନରେ ପୁରୁଷଙ୍କ ମତଦାନ ହାର ୭୩.୩୭% ଓ ମହିଳା ମତଦାନ ହାର ୭୫.୫୫% ରହିଛି । ଯାହାକି ପୁରୁଷ ଭୋଟର ତୁଳନାରେ ପ୍ରାୟ ୨ ପ୍ରତିଶତ ଅଧିକ । ଚଳିତଥର ରାଜ୍ୟର ୧୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ବୃଦ୍ଧି ପାଇଛି । ଅନ୍ୟ ୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ହ୍ରାସ ପାଇଛି । ସର୍ବାଧିକ ଆସିକା ସଂସଦୀୟ କ୍ଷେତ୍ରରେ ପ୍ରାୟ ୩ ପ୍ରତିଶତ ମତଦାନ ହାର ହ୍ରାସ ପାଇଛି । ୨୦୧୯ରେ ଏହି ସଂସଦୀୟ କ୍ଷେତ୍ରରେ ୬୫.୭୦% ମତଦାନ ଥିବାବେଳେ ଚଳିତଥର ଏହା ୬୨.୬୭% ରହିଛି । ସେହିପରି କେନ୍ଦ୍ରାପଡ଼ାରେ ୧ ପ୍ରତିଶତ ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୧ ପ୍ରତିଶତରୁ ଅଧିକ ମତଦାନ ହାର ହ୍ରାସ ପାଇଛି । ତେବେ ଭଦ୍ରକ ଓ ବ୍ରହ୍ମପୁରରେ ମତଦାନ ହାର ହ୍ରାସ ସ୍ୱଳ୍ପ ରହିଛି।
ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯିବ । ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ରାଜ୍ୟର ଯେଉଁ ୬୯ଟି ମତଦାନ କେନ୍ଦ୍ର ହୋଇଛି ସେଥିରେ ସର୍ବାଧିକ ୫ଟି ମୟୂରଭଞ୍ଜ ଜିଲ୍ଲାରେ, ଗଞ୍ଜାମ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ୪ଟି ଲେଖାଏଁ, ବଲାଙ୍ଗୀର,କଟକ,ଖୋର୍ଦ୍ଧା ଓ ରାୟଗଡ଼ାରେ ୩ଟି ଲେଖାଁଏ ମତଦାନ କେନ୍ଦ୍ର ସ୍ଥାପନ ହୋଇଛି ।

ମତଦାନ ହାର ଜାଣିବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ରହିଛି। ଭୋଟର ହେଲପଲାଇନ୍ ଆପ୍ ମାଧ୍ୟମରେ ବି ଫଳାଫଳ ଜାଣିହେବ ବୋଲି ଶ୍ରୀ ଧଳ କହିଛନ୍ତି।

Leave A Reply

Your email address will not be published.