ବିଜେପିକୁ ଫେରିଲେ ଧର୍ମଶାଳାର ‘ବାଘ’

ଯାଜପୁର: ବିଜେପିକୁ ଫେରିଲେ ଧର୍ମଶାଳାର ‘ବାଘ’! ଇଏ ବାଘ ସେଇ ‘ବାଘ’ ଯିଏ ଏକା ଲଢ଼ିଥିଲେ। ଆଉ ସାଥୀରେ ଥିଲେ ସହକର୍ମୀ ଓ ଜନତା ଜନାର୍ଦ୍ଦନ। ସମସ୍ତଙ୍କ ସହଯୋଗରେ ବିରୋଧୀଙ୍କୁ ଚକ୍‌ମା ଦେଇ ବିଜୟ ହାସଲ କରିଛନ୍ତି ଧର୍ମଶାଳା ‘ବାଘ’ ଆଖ୍ୟା ପାଇଥିବା ହିମାଂଶୁ ଶେଖର ସାହୁ। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ୪୧୫୦ ଭୋଟ୍‌ରେ ବିଜେଡିର ପାୱାରଫୁଲ୍‌ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପରାସ୍ତ କରିଛନ୍ତି। ବିଜୟ ପରେ ହିମାଂଶୁଙ୍କ ସମର୍ଥକଙ୍କ ଭିତରେ ଖୁସିର ଲହର ଖେଳି ଯାଇଛି। ବିଜୟ ପରେ ମଙ୍ଗଳବାର ରାତିରେ ସେ ବିଜେପିରେ ପୁଣି ଥରେ ସାମିଲ୍‌ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ହିମାଂଶୁ ଶେଖର ସାହୁ ବିଜେପିରେ ମିଶିଛନ୍ତି।

ଯାଜପୁର ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ଧର୍ମଶାଳା। ଏହି ନିର୍ବାଚନମଣ୍ଡଳୀରୁ କଳ୍ପତରୁ ଦାସ ଲଗାତାର ୪ ଥର ବିଜୟୀ ହୋଇଥିଲେ। କଳ୍ପତରୁଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପ୍ରଣବ କୁମାର ବଳବନ୍ତରାୟ ଲଗାତାର ଦୁଇ ଥର ବିଜୟୀ ହୋଇଥିଲେ। ହେଟ୍ରିକ୍‌ ମାରିବା ପୂର୍ବରୁ ଚିତ୍‌ପଟାଙ୍ଗ ହୋଇଛନ୍ତି ପ୍ରଣବ ବଳବନ୍ତରାୟ। ତାଙ୍କୁ ଚକ୍‌ମା ଦେଇଥିଲେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ। ଚଳିତ ନିର୍ବାଚନରେ ତାଙ୍କୁ ପରାସ୍ତ କରିଛନ୍ତି।

ବିଧାୟକ ଭାବେ ନିର୍ବାଚିତ ହେବା ପରେ ହିମାଂଶୁ ଶେଖର ସାହୁ ବିଜେପିରେ ମିଶିଛନ୍ତି। ବିଜେପିରେ ମିଶିବା ପରେ ସେ କହିଛନ୍ତି, ଓଡ଼ିଶାର ସାଧାରଣ ଜନତାଙ୍କ ଭଲପାଇବା ଓ ଧର୍ମଶାଳାବାସୀଙ୍କ ଯୋଦ୍ଧାଙ୍କ ଯୁଦ୍ଧରେ ଆଜି ଅଧର୍ମକୁ ହଟାଇ ଧର୍ମର ଜୟ ହୋଇଛି। ଭାରତୀୟ ଜନତା ପାଟିର ଆମେ ସଦସ୍ୟ ଥିଲୁ। ଯେତେବେଳେ ଟିକେଟ୍‌ ମିଳିନଥିଲା, ସେତେବେଳେ ବିଜେପିରୁ ବିରତ ନେଇଥିଲୁ। ବିଜୟ ପରେ ମାନ୍ୟବର ମନ୍ତ୍ରୀ ଫୋନ୍‌ କରି ଡାକିଥିଲେ। ତାଙ୍କ ଡାକରା ପାଇ ଆସିଥିଲୁ। ତାଙ୍କ ପ୍ରେରଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବୁ ବୋଲି ଶ୍ରୀ ସାହୁ କହିଛନ୍ତି।

ସୂଚନାରୁ ପ୍ରକାଶ, ହିମାଂଶୁ ଶେଖର ସାହୁ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ପ୍ରାର୍ଥୀ କରିନଥିଲା ବିଜେପି। ଯେଉଁଥିପାଇଁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ବାରମ୍ୱାର ବିଜେପି ରାଇଜ ମୁଖିଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ନିରାଶ ହୋଇଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାବେ ଲଢ଼ିଥିଲେ। ଆଉ ସେଥିରେ ବିଜୟ ହାସଲ କରିଥିଲେ। ଦଳର ନିଷ୍ପତ୍ତି ବିରୋଧରେ ଯାଇ ସେ ନିର୍ବାଚନ ଲଢିଥିବାରୁ ବିଜେପିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା ।

ତେବେ ହିମାଂଶୁଙ୍କ ଯୋଗଦାନ ପରେ ବିଜେପିର ବିଧାୟକଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.