ଭୁବନେଶ୍ୱର,୫/୬: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ସଂଖ୍ୟା ଗରିଷ୍ଠତା ହରେଇବା ପରେ ଆଜି ରାଜଭବନ ଆସି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନବୀନ ।
ସୂଚନା ଅନୁସାରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷରୁ ଅଧିକ ସମୟର ଶାସନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଓଡ଼ିଶାରେ ବିଜେପିକୁ ମିଳିଲା ସ୍ପଷ୍ଟ ବହୁମତ । ଓଡ଼ିଶାରେ ସକରକାର ଗଠନର ମ୍ୟାଜିକ ନମ୍ୱର ୭୪ଥିବା ବେଳେ ବିଜେପି ଏହାକୁ ପାର୍ କରି ପାଇଛି ୭୮ ଆସନ । କେବଳ ସେତିକି ନୁହେଁ ଲୋକସଭାରେ ମଧ୍ୟ ବିଜେପି ବାଜି ମାରିଛି । ମୋଟ୍ ୨୧ ଆସନରୁ ବିଜେପି ଖାତାକୁ ଯାଇଛି ୨୦ ଆସନ ।
ଚଳିତ ଥରର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି । ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ। ଓଡ଼ିଶାରେ ବିଜେଡି ଶାସନକୁ କହିଛନ୍ତି ନା । ଗତକାଲି ଭୋଟ୍ ଗଣତି ଆରମ୍ଭ ହେବା ପରାଠାରୁ ହିଁ ବିଜେପି ଟ୍ରେଣ୍ଡ କରିଥିଲା। ମଧ୍ୟାହ୍ନ ସୁଦ୍ଧା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଲୋକସଭାରେ ଗୋଟିଏ ପରେ ଗୋଟିଏ ସିଟ୍ରେ ଜିତି ଚାଲିଥିଲା ବିଜେପି । ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ଛୁଇଁଯାଇଥିଲା ବିଜେପି । ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା । ଲୋକ ବିଜେଡି ପରିବର୍ତ୍ତେ ବିଜେପିକୁ ସ୍ପଷ୍ଟ ବହୁମତ ଦେଇଛନ୍ତି ।
ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛନ୍ତି। ହିଞ୍ଜିଳି ଓ କଣ୍ଟାବାଞ୍ଝିରୁ ମଇଦାନକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଝି ଆସନରେ ଜନମତ ହାସଲ କରିବାରେ ସମର୍ଥ ହୋଇ ପାରି ନାହାନ୍ତି।
କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ୫୧ଟି ସିଟ୍ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। ଦଳକୁ ଗୋଟିଏ ବି ଆସନ ମିଳିନାହିଁ।
ଏଥିସହ ପ୍ରଥମ ଥର ରାଜ୍ୟରେ ସ୍ପଷ୍ଟ ବହୁମତ ପାଇଥିବା ବିଜେପି ଶିବିରରେ ଉତ୍ସାହ ଖେଳି ଯାଇଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଦମ୍ଭୋକ୍ତି ସ୍ୱରୂପ ବିଜେପି ଏଥର ସରକାର ଗଠନ କରିବ । ତେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।