ଭୁବନେଶ୍ବର: ପ୍ରତ୍ୟକ୍ଷ ରାଜନୀତିରୁ ବିଜୁ ଜନତା ଦଳର ଅନ୍ୟତମ ନେତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓହରି ଯାଇଛନ୍ତି। ଆଜି ଏ ନେଇ ଶ୍ରୀ ସାମନ୍ତ ଘୋଷଣା କରିବା ସହ ଜୁନ୍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି।
ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଶ୍ରୀ ସାମନ୍ତଙ୍କ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ଶ୍ରୀ ସାମନ୍ତ, ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।
୨୦୧୮ ମସିହା ୭ ମାର୍ଚ୍ଚରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିଥିଲେ । ସେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ୨୦୧୮ ୪ ଅପ୍ରେଲରେ ସେ ରାଜ୍ୟସଭା ଯାଇଥିଲେ । ୨୦୧୯ ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ବିଜେପିର ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରି ଏକ ଲକ୍ଷ ଭୋଟରେ ନିର୍ବାଚନ ଜିତିଥିଲେ । କିନ୍ତୁ ୨୦୨୪ ନିର୍ବାଚନରେ ପରାସ୍ତ ବରଣ କରିଥିଲେ । ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ପୂର୍ବବତ ଜାରି ରହିବ ଏବଂ ଏହି ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।
ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ଶ୍ରୀ ସାମନ୍ତ କନ୍ଧମାଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।