ମୋହନ ମାଝୀ: ଶିଶୁ ମନ୍ଦିର ଗୁରୁଜୀରୁ ମୁଖ୍ୟମନ୍ତ୍ରୀ

ମୋହନ ମାଝୀ ରାଜନେତା ଓ ବିଧାୟକ ହେବା ପୂର୍ବରୁ ଗୋଟିଏ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାମ କରୁଥିଲେ।

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ମୋହନ ମାଝୀ। ଆସନ୍ତାକାଲି ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତାଙ୍କ ସହ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

କେନ୍ଦୁଝର ସଦର ଆସନରୁ ୪ର୍ଥ ଥର ପାଇଁ ବିଧାୟକ ହୋଇଥିବା ମୋହନ ମାଝୀ ଜଣେ ଆଦିବାସୀ ନେତା ଭାବେ ମଧ୍ୟ ବେଶ ପରିଚିତ। ସେ ଶିଶୁ ମନ୍ଦିର ଗୁରୁଜୀରୁ ଆଜି ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି।

ମୋହନ ମାଝୀ ରାଜନେତା ଓ ବିଧାୟକ ହେବା ପୂର୍ବରୁ ଗୋଟିଏ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାମ କରୁଥିଲେ। ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରିଥିବା ମୋହନ ମାଝୀ ପରେ ସରପଞ୍ଚ ହୋଇଥିଲେ।

କେନ୍ଦୁଝର ଆସନରୁ ୨୦୦୦ ମସିହାରେ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମୋହନ ମାଝୀ। ସେ ୨୦୦୪-୦୯ ଓ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାୟକ ରହିଛନ୍ତି। ସେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇ ସାରିଛନ୍ତି।

ମୋହନ ମାଝୀ ମେଣ୍ଟ ସରକାରରେ ୨୦୦୫ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ବିଜେପି ପ୍ରଥମଥର ପାଇଁ ଜଣେ ଆଦିବାସୀ ଚେହେରାକୁ ନିଜର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାରେ ଅବସ୍ଥାପିତ କରାଇଛି।

Leave A Reply

Your email address will not be published.