xmas

ସୁରମା ପାଢ଼ୀ ହେଲେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି

ସୁରମା ପାଢ଼ୀ ବାଚସ୍ପତି ହେବା ପରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶୁଭେଚ୍ଛା ଜଣାଇଛନ୍ତି।

ଭୁବନେଶ୍ବର: ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି। ସପ୍ତଦଶ ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି  ସୁରମା ପାଢୀ। ଆଜି ବିଧିବଦ୍ଧ ଭାବେ ସେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ବାଚସ୍ପତି ହେବା ପରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ସୁରମା ପାଢ଼ୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ‌ଏହାପରେ ସୁରମା ପାଢ଼ୀ ବାଚସ୍ପତି ଭାବେ ଗୃହ ପରିଚାଳନା କରିଛନ୍ତି।

ସୁରମା ପାଢ଼ୀ ବାଚସ୍ପତି ହେବା ପରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କଂଗ୍ରେସ ଓ ସିପିଏମ୍‌ ବିଧାୟକ ଦଳ ସଦସ୍ୟ ଓ ବିଜେଡି ବିଧାୟକ ଦଳ ନେତାମାନେ ମଧ୍ୟ ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଗତକାଲି ବାଚସ୍ପତି ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସୁରମା ପାଢ଼ୀ।। ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିଲେ। ଏଥିପାଇଁ ସୁରମା ପାଢ଼ୀ ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।

୨୦୨୪ରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ ସୁରମା ପାଢ଼ୀ। ବିଜୁ ଜନତା ଦଳ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ୧୫,୫୪୪ ଖଣ୍ଡ ଭୋଟରେ ପରାଜିତ କରିଥିଲେ। ଏଥିସହ ସୁରମା ୨୦୦୪ ରୁ ୨୦୦୯ ଯାଏ ବିଧାୟିକା ଥିଲେ। ବିଜେପି- ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଥିଲେ।

Leave A Reply

Your email address will not be published.