ଜିଲ୍ଲା ରେଡ଼କ୍ରସ ସୋସାଇଟି ତରଫରୁ ଯକ୍ଷ୍ମା ରୋଗୀଙ୍କୁ ଖାଦ୍ୟ ବଣ୍ଟନ

ମାଲକାନଗିରି,୨୫।୬: ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ଶାଖା ତରଫରୁ ମାଲକାନଗିରି ଜିଲ୍ଲାରେ ୧୪୫୯ ଯକ୍ଷ୍ମା ରୋଗୀଙ୍କୁ ସୁଷମ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି l ଜିଲ୍ଲା ସଦରରେ ଥିବା ରକ୍ତ ଭଣ୍ଡାର ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲା ରେଡ଼କ୍ରସ ସୋସାଇଟିର ଆବାହକ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ଯୋଗଦେଇ ମାଲକାନଗିରି ଜିଲ୍ଲାରେ କିପରି ଯକ୍ଷ୍ମା ରୋଗର ନିରାକରଣ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ l ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଯକ୍ଷ୍ମା ରୋଗ ଅଧିକାରୀ ଡାକ୍ତର ଧନେଶ୍ୱର ମହାପାତ୍ର ସଭାପତିତ୍ୱ କରି ଯକ୍ଷ୍ମା ରୋଗୀ କିପରି ସୁଷମ ଖାଦ୍ୟ ଖାଇ ସୁସ୍ଥ ହୋଇପାରିବେ ତାହା ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ଡକ୍ଟର ସ୍ବାଇଁଙ୍କ ସହ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର କର୍ମକର୍ତ୍ତା ବୃନ୍ଦ ମିଳିତ ଭାବେ ଆୟୋଜନ କରିଥିଲେ l ସମସ୍ତ ଉପସ୍ଥିତ ରୋଗୀମାନଙ୍କୁ ଉପଯୁକ୍ତ ପୋଷଣ ପାଇଁ ମୁଗଡାଲି, ବୁଟ ଡାଲି, ସୋୟାବିନ, ଅମୁଲ ଓ ଖାଇବା ତେଲ ଆଦି ପ୍ରଦାନ କରାଇଯାଇଛି l ଏହି କାର୍ଯ୍ୟକ୍ରମରେ ୭ଟି ବ୍ଲକର ଯକ୍ଷ୍ମା କକ୍ଷ ମାଧ୍ୟମରେ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ନିରାକରଣ ପ୍ରକଳ୍ପରେ କାର୍ଯ୍ୟରତ ସମସ୍ତ କର୍ମଚାରୀ, ବିଧାୟକଙ୍କ ପ୍ରତିନିଧି ସଞ୍ଜୟ ସରକାର ଓ ପିରାମଲ ସ୍ୱାସ୍ଥ୍ୟ ସଂସ୍ଥା କର୍ମଚାରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ l

Leave A Reply

Your email address will not be published.