xmas

ବାଚସ୍ପତି ରେସ୍: ଓମ୍ ବିର୍ଲାଙ୍କୁ ଟକ୍କର ଦେବେ କେ. ସୁରେଶ

ବାଚସ୍ପତି ପଦକୁ ନେଇ ନିଜ ଜିଦ୍‌ରେ ଅଟଳ ବିରୋଧୀ। ଇତିହାସରେ ପ୍ରଥମ ଥର ପାଇଁ ହେବ ବାଚସ୍ପତି ନିର୍ବାଚନ।

ନୂଆଦିଲ୍ଲୀ: କିଏ ହେବ ଲୋକସଭାର ନୂଆ ବାଚସ୍ପତି। ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା। ଏହାରି ଭିତରେ ସାମ୍ନାକୁ ଆସିଛି ନୂଆ ଟ୍ୱିଷ୍ଟ। ଏନ୍‌ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ଟକ୍କର ଦେବେ କେ.ସୁରେଶ। ଇତିହାସର ପ୍ରଥମ ଥର ହେବ ବାଚସ୍ପତି ପଦ ପାଇଁ ନିର୍ବାଚନ।

ଲୋକସଭା ବାଚସ୍ପତି ପଦକୁ ନେଇ ସହମତ ହୋଇ ନ ପାରିବା ପରେ ବିରୋଧୀ ଦଳ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ବାଚସ୍ପତି ପଦ ପାଇଁ ବିରୋଧୀ ନିଜ ପ୍ରାର୍ଥୀ ଘୋଷଣା କରିଛି। କେ. ସୁରେଶଙ୍କୁ ବିରୋଧୀ ଦଳର ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି। ସେ ଏଥିପାଇଁ ନାମାଙ୍କନ ଭରିଛନ୍ତି। ଅନ୍ୟପକ୍ଷରେ ଓମ ବିର୍ଲା ଏନଡିଏ ପକ୍ଷରୁ ଲୋକସଭା ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେଣୁଗୋପାଲ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ପରେ ସହମତି ହୋଇପାରି ନାହିଁ। ଏଣୁ ବିରୋଧୀ ଦଳ ଲୋକସଭା ବାଚସ୍ପତି ନିର୍ବାଚନ ଲଢ଼ିବେ। ବିରୋଧୀ ଦଳକୁ ଉପ-ବାଚସ୍ପତି ପଦବୀ ଦେବାକୁ ସରକାର ଅନିଚ୍ଛା ପ୍ରକାଶ କରୁଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ ଡିଏମକେ ନେତା ଟିଆର ବାଲୁ ମଧ୍ୟ ରାଜନାଥ ସିଂହଙ୍କ କାର୍ଯ୍ୟାଳୟରୁ ବାହାରି ଲୋକସଭା ବାଚସ୍ପତି ପଦ ପାଇଁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବାକୁ ମନା କରି ଦେଇଛନ୍ତି।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କହିଛନ୍ତି ଯେ ବିରୋଧୀ ଦଳକୁ ଡେପୁଟି ସ୍ପିକର ପଦ ପ୍ରଦାନ କରିବାର ପରମ୍ପରା ରହିଛି। କିନ୍ତୁ ଏଯାଏ କୌଣସି କଲ୍‌ ଆସିନାହିଁ। ତେଣୁ ବିଜେପିର ଉଦ୍ଦେଶ୍ୟ ଆଦୌ ସ୍ୱଚ୍ଛ ନୁହେଁ, ପ୍ରକୃତରେ ମୋଦି କୌଣସି ସହମତି ଓ ସହଯୋଗ ଚାହୁଁନାହାଁନ୍ତି ବୋଲି ଏଥିରୁ ସ୍ପଷ୍ଟ ହୋଇଛି। 

ବୁଧବାର ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଶାସକ ଦଳ ଏବଂ ବିରୋଧୀଙ୍କ ସହମତି ଅନୁଯାୟୀ ବାଚସ୍ପତି ନିର୍ବାଚିତ ହେଉଥିଲେ। କିନ୍ତୁ ଏଥର ଏହି ପରମ୍ପରା ଭାଙ୍ଗିବାକୁ ଯାଉଥିବା ଜଣାପଡିଛି।

Leave A Reply

Your email address will not be published.