ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକ ମାନଙ୍କ ବିପଦ ସଙ୍କୁଳ କାର୍ଯ୍ୟରେ ନିରାକରଣ ସଚେତନତା ସଭା

ମାଲକାନଗିରି, ୨୮/୦୬/୨୪: ଆଜି ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକ ମାନଙ୍କ ବିପଦ ସଙ୍କୁଳ କାର୍ଯ୍ୟରେ ନିରାକରଣ ନିମନ୍ତେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଶ୍ରମିକ ଉଚ୍ଛେଦ ନେଇ ସମ୍ବିଧାନରେ ଉଲ୍ଲେଖ ଥିବା ମୌଳିକ ଅଧିକାର ସମେତ ବିଭିନ୍ନ ଧାରା ବିଷୟରେ ଆଲୋକପାତ କରିଥିଲେ। ତତ୍ ସହିତ ସମାଜରେ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବାର ମାନସିକତା ଦୂର କରିବାର ଆବଶ୍ୟକତା ରହିଛି ଓ ଏଥି ନିମନ୍ତେ ସମସ୍ତଙ୍କର ସହଭାଗିତା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। ଶିକ୍ଷା ପ୍ରତି ସଚେତନତା ସାଙ୍ଗକୁ ଉପଯୁକ୍ତ ଥଇଥାନ ମାଧ୍ୟମରେ ଏହା ଲୋପ ପାଇପାରିବ ଓ ଶିଶୁଟିଏ ନିଜର ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ଆଗେଇ ପାରିବ ବୋଲି ମଧ୍ଯ ସେ ମତ ପରିପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ପ୍ରସନ୍ନ ପାଣିଗ୍ରାହୀ ବିସ୍ତୃତ ଭାବେ ଏହା ସମ୍ପର୍କିତ ଆଇନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ବୋଲି ସେ ସୂଚନା ଦେଇଥିଲେ। ଏଥି ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାଇବା ପାଇଁ ସେ ପରାମର୍ଶ ଦେଇଥିଲେ। ଏତଦ୍ ବ୍ୟତୀତ, ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନମ୍ବର ୧୫୫୩୬୮ ଏବଂ ଚାଇଲଡ ଲାଇନ ନମ୍ବର ୧୦୯୮ କୁ ଯୋଗାଯୋଗ କରିବାରେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ବିଭିନ୍ନ ଅନୁଷ୍ଠାନରୁ ଯୋଗ ଦେଇଥିବା ସଂସାଧନ ସଭ୍ୟମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହ ଏହା ସହ ଯୋଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ଜିଲ୍ଲା ମଙ୍ଗଳ କମିଟି, ଅଧ୍ୟକ୍ଷ, ସଂଯୁକ୍ତା ପ୍ରଧାନ, ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା, ତନ୍ମୟ ମଣ୍ଡଳ, ଡ଼ାଲସା ସଦସ୍ୟ, ଅଶୋକ ପଟ୍ଟନାୟକ, ଇନ୍ଦିରା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୁଦେଶ୍ନା ରାଉତ ଓ ଟ୍ରେଡ ୟୁନୀୟନ୍ ସଭାପତି, ଦୁର୍ଗା ତ୍ରିପାଠୀ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଞ୍ଜିଓ ସଂସ୍ଥା, ମିଲର ସଦସ୍ୟ, ଚାମ୍ବର ଅଫ କମର୍ସ, ନିର୍ମାଣ ଶ୍ରମିକ, ଚାଇଲ୍ଡ ଲାଇନ ଓ ଶ୍ରମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.