xmas

ଜାମିନ ପରେ ଜେଲରୁ ବାହାରିଲେ ହେମନ୍ତ ସୋରେନ୍‌

ଜାମିନ ମିଳିବା ପରେ ହେମନ୍ତ ସୋରେନ ବିର୍ସା ମୁଣ୍ଡା ଜେଲରୁ ବାହାରିଛନ୍ତି।

ରାଞ୍ଚି: ଜେଲରୁ ବାହାରିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଆଜି ହାଇକୋର୍ଟ ତାଙ୍କୁ ଜମି ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଥିଲେ। ଜାମିନ ମିଳିବା ପରେ ହେମନ୍ତ ସୋରେନ ବିର୍ସା ମୁଣ୍ଡା ଜେଲରୁ ବାହାରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଜେଲ ପାଖରେ ପତ୍ନୀ କଳ୍ପନା ସୋରେନ ପହଞ୍ଚିଥିଲେ।

ଏଥିସହ ଜେଏମଏମର ଅନେକ ନେତା ଓ କର୍ମୀ ମଧ୍ୟ ଜେଲ ବାହାରେ ଉପସ୍ଥିତ ରହି ଶ୍ରୀ ସୋରେନଙ୍କୁ ସ୍ୱାଗତ କରିଛନ୍ତି। ସୋରେନ ଜେଲରୁ ବାହାରିବା କ୍ଷଣି ସେମାନେ ନାରାବାଜୀ କରି ସ୍ୱାଗତ କରିଥିଲେ।

ସେ ମଧ୍ୟ ହାତ ହଲାଇ କର୍ମୀ ଓ ନେତାଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଜେଲରୁ ବାହାରିବା ପରେ ହେମନ୍ତ ସୋରେନ ସିଧା ବାପା ଶିବୁ ସୋରେନଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ସହ କିଛି ସମୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। 

ଜମି ଦୁର୍ନୀତି ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ଜାନୁଆରୀ ୩୧ରେ ଗିରଫ କରିଥିଲା। ପୂର୍ବରୁ ତାଙ୍କୁ ତଦନ୍ତକାରୀ ସଂସ୍ଥା ୯ ଥର ସମନ ପଠାଇବା ପରେ ଶେଷରେ ତାଙ୍କୁ ଗିରଫ କରିଥିଲା। ଗିରଫର କିଛି ସେକେଣ୍ଡ ପୂର୍ବରୁ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏହି ଘଟଣାରେ ସୋରେନଙ୍କ ସମେତ ୨୫ ଜଣଙ୍କୁ ଇଡି ଗିରଫ କରିଥିଲା। ଗିରଫ ସମୟରେ ସୋରେନ ତାଙ୍କ ବିରୋଧରେ ଆସିଥିବା ଜମି ହଡ଼ପ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ରାଜନୀତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ କରିଥିବା ସେ କହିଥିଲେ।

Leave A Reply

Your email address will not be published.