ରାଜ୍ୟ ପରିବହନ ପ୍ରାଧିକରଣରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସମାଧାନ ପାଇଁ ନିଆଗଲା ତ୍ୱରିତ ପଦକ୍ଷେପ

କଟକ, ୦୧/୦୭: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟ ପରିବହନ ପ୍ରାଧିକରଣର କଟକ କାର୍ଯ୍ୟାଳୟଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ଯାଏଁ ପ୍ରାଧିକରଣର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା । ପ୍ରତି ସୋମବାର ଏହି  ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ସୋମବାର ଛୁଟିଦିନ ଥିଲେ ପରବର୍ତ୍ତୀ କାର୍ଯ୍ୟ ଦିବସରେ ଏହା ଆୟୋଜିତ ହେବ । ଯେଉଁ ଅଭିଯୋଗ ଆସୁଛି ତାହାର ସମାଧାନ ପାଇଁ ତୁରନ୍ତୁ ଉପଯୁକ୍ତ ଅଧିକାରୀଙ୍କୁ ନିକଟକୁ ପଠାଇ ଦିଆଯାଉଛି । ଏହାସହ ଅଭିଯୋଗର ସମାଧାନ ନିମନ୍ତେ ସାତ ଦିନର ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି । ଏହିକ୍ରମରେ ତିନ ଜଣ ବସ୍ ମାଲିକ ପରମିଟ ସମ୍ବନ୍ଧୀୟ ଅଭିଯୋଗ ପ୍ରଦାନ କରିଛନ୍ତି । ଜଣେ ବାଲେଶ୍ୱର, ଜଣେ ନୟାଗଡ଼ ଓ ଜଣେ କଟକରୁ ଆସିଥିଲେ ।

ତେବେ ସୋମବାର ଅଭିଯୋଗ ଶୁଣାଣି ବ୍ୟତୀତ ରାଜ୍ୟ ପରିବହନ ପ୍ରାଧିକରଣ ନିୟମିତ ଭାବେ ଜନସାଧାରଣଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇଆସିଛି । ସାମାଜିକ ଗଣମାଧ୍ୟମ ଓ ୨୪ ଘଣ୍ଟିଆ କଲ୍ ସେଣ୍ଟର (ନମ୍ବର ୧୮୦୦ ୩୪୫ ୧୦୭୩) ଜରିଆରେ ମଧ୍ୟ ପରିବହନ ସେବା ସଂକ୍ରାନ୍ତରେ ଆସୁଥିବା ଅଭିଯୋଗ ଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି ।  

ଆଜିର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ପରିବହନ କମିସନର ଇନ୍ଦ୍ରମଣି ନାୟକ, ଲାଲମୋହନ ସେଠୀ, ଦୀପ୍ତିରଂଜନ ପାତ୍ର, ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି, ଏସଟିଏ ସଚିବ ଚିନ୍ମୟୀ ବିଶ୍ୱାଳ, କନକଚମ୍ପା ମେହେର, ଦିଲ୍ଲୀପ ସାହୁ, ବିଜୟ ମିଶ୍ର ଉପସ୍ଥିତ ଥିବା ବେଳେ ନୋଡାଲ ଅଫିସର ଆର୍ତ୍ତତ୍ରାଣ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଞ୍ଜୟ ଦତ୍ତ, ସରୋଜ ବେହେରା, ଦୋଳଗୋବିନ୍ଦ ବାଗ୍ ସହଯୋଗ କରିଥିଲେ । ଆସୁଥିବା ଲୋକେ କିଭଳି ସୁବିଧାରେ ଅଭିଯୋଗ ପ୍ରଦାନ କରି ସମାଧାନ ପାଇବେ ସେ ଦିଗରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.