୫-ଟି ସ୍କୁଲରେ ସିଲିଂ ଖସି ୫ ଛାତ୍ରୀ ଆହତ

ବଡ଼ଚଣା: ୫-ଟି ସ୍କୁଲ୍ ନାମରେ ଲକ୍ଷ ଲକ୍ଷ ଟଙ୍କା ଆସି ସ୍କୁଲ୍ ଗୁଡିକ ନୂତନ ଭାବରେ ବିଲ୍ଡିଂ ଠାରୁ ଆରମ୍ଭ ପାଚେରୀ, ପାର୍କ ଇତ୍ୟାଦି ବହୁ କାମ କରି ଚକାଚକ କରାଯାଇଥିଲା । କିନ୍ତୁ ସେହି ୫-ଟି ସ୍କୁଲ୍ କାମ କୋଉଠି ଭୁଶୁଡ଼ି ଗଲାଣି ତ, କୋଉଠି ପାଚେରୀ ପଡ଼ିଗଲାଣି । ଆଉ କୋଉଠି ଛାତର ସିଲିଂ ଖସି ଗଲାଣି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତର ମା’ ମଲ୍ୟାଶୁଣୀ ହାଇସ୍କୁଲ, ଗରଗାଲି ଠାରେ ।

ପ୍ରକାଶ ଯେ, ଗତ ୨ ତାରିଖ ଦିନ ସ୍କୁଲ୍ ଆରମ୍ଭ ସମୟରେ ପ୍ରାର୍ଥନା ପାଇଁ ସବୁ ଛାତ୍ର/ଛାତ୍ରୀ କ୍ଲାସରୁମରୁ ବାହାରକୁ ଆସିଥିଲେ । ଶେଷରେ ୫/୬ ଜଣ ଛାତ୍ରୀ ବାହାରି ଆସୁଥିବା ସମୟରେ ହଠାତ ଛାତର ସିଲିଂ ଭାଙ୍ଗି ପଡ଼ିଥିଲା । ଫଳରେ ଛାତ୍ରୀଙ୍କ ମୁଣ୍ଡ ଏଵଂ କାନ୍ଧରେ ସିଲିଂ ପଡି ଯାଇଥିଲା । ଛାତ୍ରୀ ମାନେ ଆହତ ହୋଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଓ ଅନ୍ୟ ଶିକ୍ଷକ ପହଞ୍ଚି ଆହତ ମାନଙ୍କୁ ବାହାରକୁ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀ ମାନଙ୍କୁ ଛାଡି ଦିଆ ଯାଇଥିଲା । ଅନ୍ୟପକ୍ଷରେ ନିମ୍ନମାନର କାମ ପାଇଁ ଏହି ଘଟଣା ଘଟିଛି ବୋଲି ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଦାବି । ଖବର ପାଇ ସ୍ଥାନୀୟ ବିଧାୟକ ଅମର ନାୟକ, ସରପଞ୍ଚ ଏଵଂ ଅନ୍ୟାନ୍ୟ ନେତୃବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନ ଶିକ୍ଷୟତ୍ରୀଙ୍କ ଶହ ଆଲୋଚନା କରିଛନ୍ତି । ପରେ ବିଡ଼ିଓଙ୍କୁ ଡକାଇ ତୁରନ୍ତ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ପରେ ଘଟଣା ସମ୍ପର୍କରେ ବିଧାୟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.