xmas

ପୁଣି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ

୫ ମାସ ପରେ ହେମନ୍ତ ଜେଲରୁ ମୁକୁଳିବାରୁ ଚମ୍ପାଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆଜି ହେମନ୍ତ ସୋରେନ ପୁଣି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ରାଞ୍ଚି: ପୁଣି ଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହେମନ୍ତ ସୋରେନ। ଆଜି ସେ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଗୁରୁବାର ଅପରାହ୍ନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ହେମନ୍ତ ସୋରେନ ନିକଟରେ ଜେଲରୁ ଜାମିନରୁ ବାହାରିଛନ୍ତି। ଜାନୁଆରୀ ୩୧ରେ ତାଙ୍କୁ ଜମି ଦୁର୍ନୀତି ମାମଲାରେ ଇଡି ଗିରଫ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ।

କିନ୍ତୁ ୫ ମାସ ପରେ ହେମନ୍ତ ଜେଲରୁ ମୁକୁଳିବାରୁ ଚମ୍ପାଇ ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆଜି ହେମନ୍ତ ସୋରେନ ପୁଣି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଝାଡଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଫେବୃଆରୀ ୨ରେ ଶପଥ ନେଇଥିବା ଚମ୍ପାଇ ସୋରେନ ବୁଧବାର ଇସ୍ତଫା ଦେଇଥିଲେ। ଏହାପରେ ହେମନ୍ତ ସୋରେନ ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ତାଙ୍କ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକ ଥିବାରୁ ରାଜ୍ୟପାଳ ରାଧାକ୍ରିଷ୍ଣନନ ତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି।

ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିବାରୁ ହେମନ୍ତ ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଇଡି ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି ଜଣାପଡ଼ିଛି।

ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଚମ୍ପାଇ ସୋରେନଙ୍କ କ୍ୟାବିନେଟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ ୧୦ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଜେଏମଏମର ୨୭ ଜଣ ବିଧାୟକ ଥିବା ବେଳେ ମେଣ୍ଟରେ ଥିବା କଂଗ୍ରେସ ପାଖରେ ୧୭ ଓ ଆରଜେଡିର ଜଣେ ବିଧାୟକ ରହିଛନ୍ତି।

ଜେଏମଏମର ୨ ଜଣ ବିଧାୟକ ଏବେ ଲୋକସଭା ସାଂସଦ ହୋଇଯାଇଛନ୍ତି। ସେହିପରି ବିଧାୟକ ସୀତା ସୋରେନ ଜେଏମଏମ ଛାଡ଼ି ବିଜେପିରେ ମିଶି ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏହାବାଦ ୨ ଜଣ ବିଧାୟକଙ୍କୁ ଦଳ ବିରୋଧୀ କାମ ପାଇଁ ଜେଏମଏମର ବହିଷ୍କୃତ ହେବାକୁ ପଡ଼ିଛି।

ଅନ୍ୟପକ୍ଷରେ ବିଜେପିର ବିଧାୟକ ସଂଖ୍ୟା ମଧ୍ୟ ୨୪କୁ ହ୍ରାସ ପାଇଛି। ଦଳର ଦୁଇ ଜଣ ବିଧାୟକ ଏବେ ଲୋକସଭା ସାଂସଦ। ସେହିପରି ଜଣେ ବିଧାୟକ କଂଗ୍ରେସରେ ମିଶି ଲୋକସଭା ନିର୍ବାଚନ ଲଢ଼ିଥିବାରୁ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଛି।

Leave A Reply

Your email address will not be published.