xmas

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ

ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ସୁରେନ୍ଦ୍ରନାଥ ନାୟକଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇ ଯାଇଛି ।

ଭୁବନେଶ୍ୱର: କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କର ପରଲୋକ ହୋଇ ଯାଇଛି। ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ସୁରେନ୍ଦ୍ରନାଥ ନାୟକଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଥିଲେ ସୁରେନ୍ଦ୍ରନାଥ ନାୟକ । କାକଟପୁରରୁ ସେ ୭ ଥର ବିଧାୟକ ହୋଇଥିଲେ। ତାଙ୍କ ମୃତ୍ୟୁରେ ସବୁଠି ଶୋକ ପ୍ରକାଶ ପାଇଛି ।

ସୁରେନ୍ଦ୍ରନାଥ ନାୟକଙ୍କ ମୃତଦେହକୁ ଭୁବନେଶ୍ୱରସ୍ଥିତ ଘରୁ ପ୍ରଥମେ ଅଶୋକ ନଗର ନିଆଯିବ । ସେଠାରେ ସେ ନିଜ ରାଜନୈତିକ କାର୍ଯ୍ୟକ୍ରମ କରୁଥିଲେ। ଏହାପରେ ସେଠାରୁ ମରଶରୀରକୁ ବିଧାନସଭା ଓ ପରେ ସଚିବାଳୟ ନିଆଯିବ । ସେଠାରେ ଉପସ୍ଥିତ ଲୋକେ ସୁରେନ୍ଦ୍ରନାଥ ନାୟକଙ୍କ ଶେଷ ଦର୍ଶନ କରିବେ।

ଏହାପରେ ତାଙ୍କ ମରଶରୀରକୁ ପିପିଲି ଦେଇ ନିମାପଡ଼ା, ଗୋପ, କୋଣାର୍କ, କାକଟପୁର, ଅସ୍ତରଙ୍ଗ ନିଆଯିବ । ସେଠାରେ ସମର୍ଥକମାନେ ନିଜ ପ୍ରିୟ ନେତାଙ୍କୁ ଶେଷ ଥର ପାଇଁ ଦେଖିବେ। ଏହାପରେ ସେଠାରୁ ମୃତଦେହକୁ ନିଜ ପୈତୃକ ଗାଁ ଅଣକଣାକୁ ନେଇ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିବେ ପରିବାର ସଦସ୍ୟ ।

୧୯୬୦ ମସିହାରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସୁରେନ୍ଦ୍ରନାଥ । ୧୯୭୧ରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୧୯୭୭, ୧୯୮୫, ୧୯୯୦, ୧୯୯୫ ଉପନିର୍ବାଚନ,  ୨୦୦୦ ଓ ୨୦୦୪ ନିର୍ବାଚନରେ ଜିତି ବିଧାନସଭାକୁ ଆସିଥିଲେ । ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେ ବିଧାନସଭାର ଉପବାଚସ୍ପତି ଥିଲେ ।

୧୯୯୦ରେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ରାଜସ୍ୱ ଓ ଅବକାରୀ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ। ୨୦୦୪ରେ କୃଷି ମନ୍ତ୍ରୀ ହୋଇଥିଲେ । ୨୦୧୨ରେ ସେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହୋଇଥିଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ସେ କାରାବରଣ କରିଥିଲେ । 

ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ସ୍ୱର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ। ‘ଓଡ଼ିଶାର ଉନ୍ନତି ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି। 

Leave A Reply

Your email address will not be published.