ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ଅଭିମୁଖେ ଗଡ଼ିଲା ରଥ

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ସାରିଥିବା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ଅଭିମୁଖେ ଅଣାଯାଉଛି।

ପୁରୀ: ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା। ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ।  ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ମହାପ୍ରଭୁଙ୍କ ଆଜ୍ଞାମାଳ । ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଛି ନନ୍ଦିଘୋଷ ଓ ଦର୍ପଦଳନ ରଥ । ଏହାପରେ ପ୍ରଭୁ ବଳରାମଙ୍କ ରଥ ତାଳଧ୍ୱଜକୁ ସିଂହଦ୍ୱାର ଅଭିମୁଖେ ଟଣାଯାଉଛି। 

ଆସନ୍ତାକାଲି ରଥଯାତ୍ରା ଥିବାରୁ ଆଜି ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ଆସିବେ ତିନି ରଥ। ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାରୁ ପଟି ଦିଅଁଙ୍କ ଠାରୁ ବିଜେ ହୋଇଥିଲା ଆଜ୍ଞାମାଳ। ୩ ରଥର ପୂଜାପଣ୍ଡା ସାମନ୍ତ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଧରି ତିନି ରଥରେ ବିଜେ କରାଇଛନ୍ତି। ଏହା ପରେ ରଥଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ନେଇଛନ୍ତି ପୁଲିସ ଅଧିକାରୀ ଓ ବହୁ ଶ୍ରଦ୍ଧାଳୁ।

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ସାରିଥିବା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ଅଭିମୁଖେ ଅଣାଯାଉଛି। ପରମ୍ପରା ଅନୁଯାୟୀ, ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ନିଆଯାଇଥାଏ।

ଚଳିତ ବର୍ଷ ରଥଯାତ୍ରା ଦିନ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Leave A Reply

Your email address will not be published.