ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା; ସିଂହଦ୍ୱାର ସମ୍ମୁଖରେ ୩ ରଥ

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୁଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା। କାରଣ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ। ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର।

ପୁରୀ: ରାତି ପାହିଲେ ହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ରଥ ପ୍ରସ୍ତୁତ। ପଥ ମଧ୍ୟ ପ୍ରସ୍ତୁତ। ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ହୋଇଛି ସୁସଜ୍ଜିତ ତିନି ରଥ। ଶ୍ରୀମନ୍ଦିରରୁ ଆସି ରଥାରୂଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି। ନବଦିନାତ୍ମକ ଯାତ୍ରାରେ ମାଉସୀଘରକୁ ଯିବେ ଶ୍ରୀଜିଉ। ବଡ଼ଦାଣ୍ଡରେ ଗଡିବ ତିନିରଥ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହେବାରେ ଲାଗିଛି। ମହାପ୍ରଭୁଙ୍କ ରଥରେ ବିରାଜମାନ ହେବାର ଦୃଶ୍ୟ ସ୍ୱଚକ୍ଷୁରେ ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ରଥଯାତ୍ରା ନୀତି କାନ୍ତି ଠିକ୍ ସମୟରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଆଜି ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି ତିନି ରଥ । ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଆଜ୍ଞାମାଳ ଆସିବା ପରେ ତିନି ରଥରେ ବିଜେ କରାଯାଇଥିଲା । ପୂଜାପାଠ ଓ ରୀତିନୀତି ଶେଷ ହେବା ପରେ ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ତିନି ରଥକୁ ଅଣାଯାଇଛି । ଭକ୍ତ ଓ ଦାୟିତ୍ବରେ ଥିବା ସୁରକ୍ଷାକର୍ମୀମାନେ ଗୋଟିଏ ପରେ ଗୋଟିଏ ରଥକୁ ଟାଣି ନେଇଥିଲେ । ଏବେ ସିଂହଦ୍ବାର ସମ୍ମୁଖରେ ଉଭା ହୋଇଛନ୍ତି ନନ୍ଦିଘୋଷ, ଦେବ ଦଳନ ଓ ତାଳଧ୍ବଜ । ସମସ୍ତଙ୍କର ଅପେକ୍ଷା କେତେବେଳେ ନୀଳକନ୍ଦରରୁ ବଡ଼ାଦାଣ୍ଡକୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ସେହି ଦିବ୍ୟ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ଭକ୍ତଜନ। ଦାରୁବ୍ରହ୍ମଙ୍କ ସ୍ପର୍ଶରେ ରଥ, ପଥ ହେବ ବ୍ରହ୍ମମୟ। ସଭିଏଁ ହେବେ ଏକାକାର।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ପବିତ୍ର ଆଷାଢ ଶୁକ୍ଳ ଦ୍ୱିତୀୟାରେ ରଥାରୁଢ ହୋଇ ଚତୁର୍ଦ୍ଧାବିଗ୍ରହ ଯିବେ ଗୁଣ୍ଡିଚା ମନ୍ଦିର। ଅଣସର ପରେ ନବଦିନାତ୍ମକ ଯାତ୍ରାରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାବାହୁ। ଆଉ ଦାରୁଦିଅଁଙ୍କ ଆଗମନକୁ ସିଂହଦ୍ୱାରରେ ଅପକ୍ଷୋର କରି ରହିଛନ୍ତି ତିନିରଥ। ରବିବାର ଅପରାହ୍ନ ୧ଟା ୧୦ରୁ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୫ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି ।

ଏ ବର୍ଷ ସ୍ୱତନ୍ତ୍ର ରଥଯାତ୍ରା ପଡିଛି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ପଡିଥିବାରୁ ଶୃଙ୍ଖଳିତ ଏବଂ ସଅଳ ନୀତୀକାନ୍ତି ପାଇଁ ସମସ୍ତଙ୍କୁ ଅବଗତ କରାଯାଇଛି।ଶ୍ରୀମନ୍ଦିରରେ ଚକା ଅପସର ପରେ ରାତିରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ବାହୁଟକଣ୍ଟ ଏବଂ ସେନାପଟା କାର୍ଯ୍ୟ କରିବେ। ରାତି ୨ଟାରେ ମଙ୍ଗଳ ଆଳତି, ୨ଟା ୪୦ରେ ଦଶାବତାର ଠାକୁର ବାହୁଡ଼ା ବିଜେ କରିବାକୁ ସମୟ ନିର୍ଘଣ୍ଟ କରାଯାଇଛି। ସେହିପରି ରବିବାର ପୂର୍ବାହ୍ନ ୧୧ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ଅପରାହ୍ନ ୧ଟା ୧୦ରେ ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ସାଢେ ୨ଟା ସୁଦ୍ଧା ପହଣ୍ଡି ଶେଷ କରାଯାଇ ଅପରାହ୍ନ ୩ଟାରେ ରଥକୁ ରାମକୃଷ୍ଣ, ମଦନମୋହନ ବିଜେ ହେବେ। ଅପରାହ୍ନ ୪ଟା ମଧ୍ୟରେ ଛେରାପହଁରା ନୀତି ବଢି ୫ଟା ସୁଦ୍ଧା ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୁଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା। କାରଣ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ। ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର। ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତା’ସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ୱରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କମ୍ପାନୀ ଏସଓଜି।

ସେହିପରି ଆଜି ରାତିରୁ ଲାଗୁ ହେବ ଟ୍ରାଫିକ କଟକଣା। ପ୍ରଥମ ଥର ପାଇଁ ରଥଯାତ୍ରାକୁ ଆସୁଥିବା ଯାନବାହନର ଗଣତି ହେବ। AI ସହାୟତାରେ ପୁରୀ-ବ୍ରହ୍ମଗିରି, ପୁରୀ-ଭୁବନେଶ୍ୱର ଓ ପୁରୀ-କୋଣାର୍କ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ହେବ। ବ୍ଲାକସ୍ପଟରେ ଡ୍ରୋନର ନିଆଯିବ ସହାୟତା। ବସ୍ ଓ ୨ ଚକିଆ ଯାନଗୁଡିକ ପାଇଁ ମୋଟ୍ ୨୧ଟି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି।

ରାତି ପାହିଲେ ରଥଯାତ୍ରା। ତା’ପୂର୍ବରୁ ଆଜି ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂଦେଓ।

Leave A Reply

Your email address will not be published.