xmas

ଗମ୍ଭୀର ହେଲେ ମୁଖ୍ୟ କୋଚ୍

ବିସିସିଆଇ ସଂପାଦକ ଜୟ ଶାହ ଆଜି ଏହି ଘୋଷଣା କରିଛନ୍ତି।  

ନୂଆଦିଲ୍ଲୀ: ଗୌତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ବିସିସିଆଇ ସଂପାଦକ ଜୟ ଶାହ ଆଜି ଏହି ଘୋଷଣା କରିଛନ୍ତି।  

ଶ୍ରୀ ଶାହ ତାଙ୍କ ଏକ୍ସରେ ଏ ସଂପର୍କରେ ଘୋଷଣା କରି ଲେଖିଛନ୍ତି, ମୁଁ ବହୁତ ଆନନ୍ଦ ସହକାରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ସ୍ୱାଗତ କରୁଛି। ଆଧୁନିକ କ୍ରିକେଟ ଦ୍ରୁତଗତି ବିକଶିତ ହେଉଛି। ଆଉ ଏହି ପରିବର୍ତ୍ତନକୁ ଗମ୍ଭୀର ଖୁବ୍ ନିକଟରୁ ଦେଖିଛନ୍ତି। ନିଜ କ୍ୟାରିୟରେ ବିଭିନ୍ନ ପ୍ରକାର ଦାୟିତ୍ୱ ତୁଲାଇଥିବା ଗମ୍ଭୀର ଭାରତୀୟ କ୍ରିକେଟକୁ ଆଗକୁ ନେବାକୁ ସଠିକ୍ ବ୍ୟକ୍ତି ବୋଲି ମୁଁ ବିଶ୍ୱାସ କରୁଛି। ଟିମ୍ ଇଣ୍ଡିଆ ପାଇଁ ତାଙ୍କ ପାଖରେ ଥିବା ସ୍ପଷ୍ଟ ଦୃଷ୍ଟିକୋଣ, ତା’ସହିତ ତାଙ୍କ ପାଖରେ ଥିବା ବିପୁଳ ଅଭିଜ୍ଞତା ତାଙ୍କୁ ଏହି ରୋମାଞ୍ଚକର ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ଥାନିତ କରିଛି। ତାଙ୍କର ଏହି ନୂଆ ଯାତ୍ରା ପାଇଁ ବିସିସିଆଇ ତାଙ୍କୁ ପୂରା ସମର୍ଥନ କରିବ। 

ଆଇପିଏଲ୍ ୨୦୨୪ ଶେଷ ପରଠାରୁ ଗୌତମ ଗମ୍ଭୀର ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍ ହେବେ ବୋଲି ଜୋର ଚର୍ଚ୍ଚା ଧରିଥିଲା। କାରଣ ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲରେ ଚାମ୍ପିୟନ ହୋଇଥିଲା। ଆଉ ଏହାର ମେଣ୍ଟର ଥିଲେ ଗୌତମ ଗମ୍ଭୀର। ତାଙ୍କ ମାର୍ଗ ଦର୍ଶନରେ କୋଲକାତା ନାଇଟ ରାଇଡର୍ସ ଏହି ସଫଳତା ମିଳିଥିଲା। ସେହିପରି ରାହୁଲ ଡ୍ରାଭିଡ ମଧ୍ୟ ଆଉ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଶେଷ ହେବା ସହିତ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲା। ସେ ଏକ ମଧୁର ସ୍ମୃତି ନେଇ ମୁଖ୍ୟ କୋଚ୍ ପଦରୁ ଅବସର ନେଇଥିଲେ। କାରଣ ଟିମ୍ ଇଣ୍ଟିଆ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା। 

ଗମ୍ଭୀର ପ୍ରଥମେ ଲକ୍ଷ୍ମୌ ସୁପର ଜାଏଣ୍ଟସର ମେଣ୍ଟର ଥିଲେ। ୨୦୨୨ରେ ସେ ଦଳ ସହିତ ଯୋଗ ଦେଇଥିଲେ। ସେ ଦୁଇଟି ଟର୍ମ ଦଳର ମେଣ୍ଟର ଥିବା ବେଳେ ଦଳ ପ୍ଲେଅଫ୍‌ ରାଉଣ୍ଡକୁ ଯାଇଥିଲା। ତା’ପରେ ସେ ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସକୁ ଆସିଥିଲେ। ସେ ପ୍ରଥମେ ଏହି ଦଳର ଖେଳାଳିଥିଲେ। ୨୦୧୭ରେ ସେ ଏହି ଦଳ ଛାଡ଼ିଥିଲେ। ତାଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ଦୁଇ ଥର ଆଇପିଏଲ୍ ଚାମ୍ପିୟନ ହୋଇଥିଲା। ଆଉ ଚଳିତ ବର୍ଷ ତାଙ୍କ ମାର୍ଗ ଦର୍ଶନରେ ଦଳ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା। ତାଙ୍କ ଦୃଷ୍ଟିକୋଣ ପୂରା ସ୍ପଷ୍ଟ ଥିଲା। ସେଥିପାଇଁ ଦଳ ଚାମ୍ପିୟନ ହେଲା।  

Leave A Reply

Your email address will not be published.