ଭୁବନେଶ୍ୱର, ଜୁଲାଇ ୧୦: ବିଜ୍ଞାନ ଶହ ଶହ ବର୍ଷ ଧରି ପ୍ରଭାବଶାଳୀ ପ୍ରଗତି କରିଛି । କିନ୍ତୁ ଚେତନା କ’ଣ ଏବଂ କେବେ ଓ କେମିତି ଭୌତିକ ନିୟମ ସୃଷ୍ଟି ହେଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କୋଲକାତା ସ୍ଥିତ ଭକ୍ତିବେଦାନ୍ତ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ପରମ ପୂଜ୍ୟ ଭକ୍ତିସ୍ୱରୂପ ବ୍ରଜେନ୍ଦ କୁମାର ସ୍ୱାମୀ ମଙ୍ଗଳବାର ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ତଥା ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ପ୍ରେରଣା ମୂଳକ ଅଭିଭାଷଣ ମାଧ୍ୟମରେ ଏହା କହିଛନ୍ତି ।
ଅଜୀବ ବସ୍ତୁ ଓ ଚେତନାଯୁକ୍ତ ମନୁଷ୍ୟ ମଧ୍ୟରେ ଥିବା ପାର୍ଥକ୍ୟକୁ ପଦାର୍ଥ ବିଜ୍ଞାନ ଏପର୍ଯ୍ୟନ୍ତ ବୁଝାଇ ପାରି ନାହିଁ । ପଦାର୍ଥ ବିଜ୍ଞାନର ନିୟମ ଚେତନାର ଜଗତକୁ ବୁଝିବା ଅଥବା ବୁଝାଇବାରେ ସଂପୂର୍ଣ୍ଣ ଅସମର୍ଥ ଅଟେ ବୋଲି କାନପୁର ଆଇଆଇଟିର ପୂର୍ବତନ ଛାତ୍ର ସ୍ୱାମୀ ବ୍ରଜେନ୍ଦ୍ର କୁମାର ‘ପଦାର୍ଥ ବିଜ୍ଞାନ ଓ ଆଧ୍ୟାତ୍ମିକତା’ ଶୀର୍ଷକ ବକ୍ତୃତାରେ କହିଛନ୍ତି ।
ବିଖ୍ୟାତ ବୈଜ୍ଞାନିକ ଆଇଜାକ୍ ନିଉଟନ୍ ମହାକର୍ଷଣ ସୂତ୍ର ଆବିଷ୍କାର କରିଥିଲେ ମାତ୍ର ସେହି ସୂତ୍ରଗୁଡ଼ିକ ପୂର୍ବରୁ ଥିଲା । ତେବେ ପ୍ରଶ୍ନ ଉଠୁଛି ଯେ ସେହି ନିୟମ ତିଆରି କରିଛି କିଏ? ଏବଂ ଏହା ଏତେ ସଠିକ ଭାବେ କାର୍ଯ୍ୟ କରୁଛି କିପରି?
ଭକ୍ତିବେଦାନ୍ତ ଅନୁଷ୍ଠାନର ସଭାପତି ପରମପୂଜ୍ୟ ଭକ୍ତିସ୍ୱରୂପ ବ୍ରଜପତି ସ୍ୱାମୀ ମଧ୍ୟ ‘ସତତ ସୁଖ’ ଉପରେ ବକ୍ତବ୍ୟ ରଖିଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆଲୋଚିତ ପ୍ରସଙ୍ଗ ଉପରେ ଗଭୀର ଅନୁଧ୍ୟାନ କରିଥିବା ବ୍ରଜେନ୍ଦ କୁମାର ସ୍ୱାମୀ କହିଲେ ଯେ ପ୍ରାୟ ୮୦ ପ୍ରତିଶତ ବିଜ୍ଞାନ କାର୍ଯ୍ୟ କରୁଥିବାର କେହି ଦେଖିପାରନ୍ତି ନାହିଁ । ତଥାପି ଏହା କାର୍ଯ୍ୟ କରୁଥାଏ ।
ଉଦାହରଣ ଦେଇ ସେ ଏକ ଜ୍ୱଳନ୍ତ ମହମବତୀକୁ ଜଣେ ମନୁଷ୍ୟ ସହ ତୁଳନା କରି କହିଥିଲେ ଯେ ଉଭୟ ଦହନ ଇଞ୍ଜିନ୍ ଏବଂ ଦୁହିଁଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହଁ । କିନ୍ତୁ ମନୁଷ୍ୟର ସ୍ୱାଧୀନ ଇଚ୍ଛା ଓ ଆତ୍ମା ଅଛି । ଯେତେବେଳେ କୌଣସି ବସ୍ତୁ ଏକ ଆନତ ସମତଳରେ ଗଡ଼ିଥାଏ, ସେତେବେଳେ ଏହା ପଦାର୍ଥ ବିଜ୍ଞାନର ନିୟମ ମାନିଥାଏ । କିନ୍ତୁ ଜଣେ ମନୁଷ୍ୟ ଦୌଡୁଥିବା ସମୟରେ ସେତେବେଳେ ଅଟକିବେ ଯେତେବେଳେ ସେ ଅଟକିବାକୁ ଚାହିଁବେ । ଅର୍ଥାତ୍ ସେ ନିଜ ଚେତନା ଦ୍ୱାରା ନିର୍ଦ୍ଦେଶିତ ହୋଇଥାନ୍ତି ବୋଲି ସ୍ୱାମୀ କହିଥିଲେ । ସେ ପ୍ରକାଶ କରିଥିଲେ ଯେ ବିଜ୍ଞାନ ଦ୍ୱାରା ଏହାକୁ ବ୍ୟାଖ୍ୟା କରାଯାଇ ପାରିବ ନାହିଁ ।
ମଣିଷର ସ୍ୱାଧୀନ ଇଚ୍ଛା କେଉଁଠୁ ଆସୁଛି? ଏହା ଆତ୍ମାର ଗୁଣଧର୍ମ ଏବଂ ଗତ ୫୦୦ ବର୍ଷ ଧରି ଏହାର କୌଣସି ବ୍ୟାଖ୍ୟା ଆମ ପାଖରେ ନାହିଁ ବୋଲି ସେ କହିଥିଲେ ।
ପଦାର୍ଥ ବିଜ୍ଞାନୀ ତଥା ନୋବେଲ ବିଜେତା ଚାର୍ଲସ୍ ଏଡ. ଟାଉନ୍ସଙ୍କୁ ଉଦ୍ଧୃତ କରି ସ୍ୱାମୀଜୀ କହିଥିଲେ ଯେ ଏହା କୌଣସି ଆକସ୍ମିକ ବ୍ରହ୍ମାଣ୍ଡ ନୁହେଁ ଏବଂ ଏହା ପଛରେ କେହି ଅଛନ୍ତି । ଏହାର କାର୍ଯ୍ୟକାରିତା ପଛରେ ନିଶ୍ଚିତ ଏକ ସର୍ବୋଚ୍ଚ ବୁଦ୍ଧିମତା କାର୍ଯ୍ୟ କରୁଛି ବୋଲି ସେ ବୈଜ୍ଞାନିକ ଟାଉନ୍ସଙ୍କୁ ଉଦ୍ଧୃତ କରି କହିଥିଲେ ।
କାନପୁର ଆଇଆଇଟିର ପୂର୍ବତନ ଛାତ୍ର ବ୍ରଜପତି ସ୍ୱାମୀ କହିଥିଲେ ଯେ ମଣିଷର ଇନ୍ଦ୍ରିୟଗତ, ମାନସିକ, ବୌଦ୍ଧିକ, ଭାବଗତ ଓ ଆଧ୍ୟାତ୍ମିକ ସ୍ଥିତି ସହିତ ୫ଟି ସ୍ତରର ସୁଖ ଜଡ଼ିତ ଥିଲେ ମଧ୍ୟ ସବୁଠାରୁ ଅଧିକ ଆନନ୍ଦ ଆଧ୍ୟାତ୍ମିକ ସ୍ଥିତିରୁ ମିଳିଥାଏ ।
ସୋଆର ଆନ୍ତର୍ଜାତିକ ସଂପର୍କ ଓ ବିଶ୍ୱବିଦ୍ୟାଳୟ ଆଉଟରିଚ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ବକ୍ତାମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର ଭି. ରାମା ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ରଜେନ୍ଦ୍ର କୁମାର ସ୍ୱାମୀ ଓ ବ୍ରଜପତି ସ୍ୱାମୀ ମଧ୍ୟ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରି ମତ ବିନିମୟ କରିଥିଲେ ।