xmas

ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବା ମହଙ୍ଗା ପଡିଲା କନିଷ୍ଠ ଯନ୍ତ୍ରୀଙ୍କୁ; କାମ ନକରି ଟଙ୍କା ମାଗିବା ମହଙ୍ଗା ପଡିଲା

କନିଷ୍ଠ ଯନ୍ତ୍ରୀଙ୍କ ନାମରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଏତଲା ଦେଲା

ମାଲକାନଗିରି,୧୭/୭: ରାଜ୍ୟରେ ସରକାର ବଦଳିଲେ। ବିଜେପି ସରକାର ଆସିବା ପରେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ କରିଥିଲେ। ଏହି ଅଭିଯୋଗ ଶୁଣାଣୀରେ ମାଲକାନଗିରି ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀଧର ବିହାରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇ ସେ ମାଲକାନଗିରିରେ କାମ କରିଥିବା ବକୟା ଟଂକା ଫେରସ୍ତ ପାଇପାରୁନଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ସଂପୃକ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ବିହାରୀ ଗତ ୨୦୧୮ ମସିହାରେ ମାଲକାନଗିରି ଆଇଟିଡିଏରେ କନିଷ୍ଠ ଯନ୍ତ୍ରୀ ଭାବେ ଦାୟୀତ୍ବ ନେଲେ। ସେ ଗତ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ମାଲକାନଗିରିରେ କାମ କଲେ। ପରେ ସେ ବଦଳି ହୋଇ ପଞ୍ଚାୟତରାଜ ବିଭାଗକୁ ଗଲେ। ବଦଳି ପରେ ସେ ଯେଉଁ ସବୁ କାମ ହାତକୁ ନେଇଥିଲେ। ସେସବୁର କେସ ରେକର୍ଡ, ଏମବି ବହି ନିଜ ପାଖରେ ରଖିଥିଲେ। ସେ ତାଂକ ନିକଟରେ ମୋଟ ୩୯୮ଟି କେସ ରେକର୍ଡ ରଖିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ତଦନ୍ତ ଆରମ୍ଭ ହୋଇଥିଲା। ଜିଲ୍ଲାପାଳ ଏକ କମିଟି ଗଠନ କରି ଶ୍ରୀ ବିହାରୀଙ୍କ କାମଗୁଡିକ ବାବଦକୁ କେତେ ଟଂକା ପାଇବେ ସେନେଇ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ତେବେ ନିଜର କାର୍ଯ୍ୟକାଳ ଭିତରେ ସେ ନିଜ ପାଖରେ ରଖିଥିବା ୩୯୮ କେସ ରେକର୍ଡରୁ ୨୩୩ ଗୋଟି କେସ ରେକର୍ଡ ଫେରସ୍ତ କରିଥିଲେ। ଆଉ ବଳକା ୧୬୫ଟି ନିଜ ପାଖରେ ରଖିଛନ୍ତି। ତେବେ ସେ ଦେଇଥିବା କେସ ରେକର୍ଡଗୁଡିକର କିଛି କାମ ଠିକ ଥିବା ବେଳେ ବାକି କାମ ମିଥ୍ୟା ଅଟେ। ସେହିପରି ୪୩ଟି ଏମବି ବହି ସେ ନେଇଥିବା ବେଳେ ମାତ୍ର ୮ଟି ଏମବି ବହି କାର୍ଯ୍ୟାଳୟକୁ ଫେରସ୍ତ କରିଛନ୍ତି। ସେ ବଦଳି ହେବା ପରେ ସମସ୍ତ କାଗଜ ପତ୍ରଗୁଡିକ କାର୍ଯ୍ୟାଳୟକୁ ହସ୍ତାନ୍ତର ନକରି ନିଜ ପାଖରେ ବେଆଇନ ଭାବେ ରଖିଥିଲେ। ତେଣୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଜୟଶ୍ରୀ ଶ୍ରୀ ବିହାରୀ ନାମରେ ମାଲାକନଗିରି ଥାନାରେ ଏତଲା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ତଦନ୍ତ କରୁଥିବା କମିଟି କେସ ରେକର୍ଡକୁ ଆଧାର କରି କ୍ଷେତ୍ର ପରିଦର୍ଶନ କରି ତଦନ୍ତ କରିବା ପରେ ଜାଣିପାରିଲେ ଯେ କିଛି ମାତ୍ରାରେ କାମ ଠିକ ଥିବା ବେଳେ ବାକି କାମ ସଂପୂର୍ଣ୍ଣ ମିଥ୍ୟା ଅଟେ। ଶ୍ରୀ ବିହାରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୋର ଦୁଇ କୋଟି ଟଂକା ପାଇବା ନେଇ ଅଭିଯୋଗ କରିଥିଲେ। ତେବେ ସେ ଯେଉଁ ସବୁ କାମ ଏଠାରେ କରିଛନ୍ତି ସେ ସବୁ କାମଗୁଡିକର ଚିହ୍ନବର୍ଣ୍ଣ ନାହିଁ ବୋଲି ପ୍ରକଳ୍ପ ପ୍ରଶାସକ ଜୟଶ୍ରୀ ପ୍ରକାଶ କରିଛନ୍ତି। ସମସ୍ତ ତଦନ୍ତ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ମଧ୍ୟ ପ୍ରେରଣ କରାଯାଇଥିବା ସେ କହିଛନ୍ତି। ମାଲକାନଗିରି ଭଳି ଉପାନ୍ତ ଅଂଚଳକୁ ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦେଉଥିବା ବେଳେ ଏ ଅଂଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହେଉଥିବା ମୋଡେଲ ସ୍କୁଲ, ଶିକ୍ଷା କ୍ଷେତ୍ରରେ ଉନ୍ନତମାନ ଏବଂ ଅନ୍ୟ ଉନ୍ନୟନ କାମକୁ କିପରି ଫେକ କାମ କରାଯାଇ ଟଂକା ଚଳୁ କରାଯାଉଛି। ଏହା ହେଉଛି ତାହା ଜ୍ବଳନ୍ତ ଉଦାହରଣ। କନିଷ୍ଠ ଯନ୍ତ୍ରୀ ଶ୍ରୀ ବିହାରୀ ଅଭିଯୋଗ କରିବାକୁ ଯାଇ ନିଜେ ଫସିଗଲେ। ତେବେ ମୁଖ୍ୟମନ୍ତ୍ରୀ ରିପୋର୍ଟ ପାଇବା ପରେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.