ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର।

କଟକ: ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତରେ ମଳା ପୂଜାରୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। କିଡନୀ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ।

୧୬ ତାରିଖ ସନ୍ଧ୍ୟାରେ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୮ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଥିଲେ। ୧୮ ତାରିଖରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏସସିବିର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏସସିବି ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ମେଡ଼ିସିନ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡ଼ିସିନ ବିଭାଗର ଚାରିଜଣ ଡାକ୍ତରଙ୍କୁ ନେଇ ଏହି ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା। ସେମାନେ କମଳା ପୂଜାରୀଙ୍କର ଚିକିତ୍ସା କରୁଥିଲେ।

ଗତ ଦୁଇ ବର୍ଷ କମଳା ପୂଜାରୀ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆଗରୁ ବହୁ ବାର କମଳା ପୂଜାରୀ ଏସସିବି ମେଡିକାଲ ଆସି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଘରକୁ ଫେରିଥିଲେ।

କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗ୍ରାମରେ କମଳା ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ଥିଲା। ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବୀକ ଚାଷ କରି ଲୋକ ଲୋଚନକୁ ଆସିଥିଲେ।

Leave A Reply

Your email address will not be published.