xmas

ମାଲକାନଗିରି ବିଧାୟକଙ୍କ ନେତୃତ୍ୱରେ ବିଜେପି ଟିମର ବିଭିନ୍ନ ମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ

ମାଲକାନଗିରି, ୨୩/୭: ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟୀର ଏକ ପ୍ରତିନିଧି ଦଳ ବିଭିନ୍ନ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ଜିଲ୍ଲାର ଉନ୍ନତି ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି। ପ୍ରଥମେ ରାଜସ୍ବ ମନ୍ତ୍ରୀଙ୍କୁ ଭେଟି ମାଲକାନଗିରି ଜିଲ୍ଲାରେ ଆଜିକୁ ପ୍ରାୟ ୪୦ ବର୍ଷ ପୂର୍ବେ ଯେଉଁ ଗ୍ରାମ ଗୁଡିକୁ ରାଜସ୍ବ ଗ୍ରାମ ଭାବେ ମାନ୍ୟତା ଦିଆ ଯାଇଥିଲା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ସେହିପରି ଜିଲ୍ଲାରେ ବହୁ ଭୁମିହୀନ ଜନସାଧାରଣ ମଧ୍ୟ ବସବାସ କରୁଛନ୍ତି। ଭୂମିହୀନଙ୍କୁ ଜମି ପ୍ରଦାନ ସହ ଦୀର୍ଘ ଦିନ ଧରି ରହି ଆସୁଥିବା ଜିଲ୍ଲାବାସୀଙ୍କୁ ଗ୍ରାମକଣ୍ଠ ପରମବକ ପଟ୍ଟା ପ୍ରଦାନ କରାଯାଉ। ଦ୍ବିତୀୟରେ ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଦାବି ପତ୍ରରେ ଉଲ୍ଲେଖ କରିଥିଲେ ଯେ ଜିଲ୍ଲାରେ ମୋଟ ୧୧୧ଟି ପଞ୍ଚାୟତରେ ୧୦୪୫ଟି ଗ୍ରାମ ଥିବା ବେଳେ ପ୍ରାୟ ସମସ୍ତ ଗ୍ରାମରେ ବିଦ୍ୟାଳୟ ରହିଛି। କିନ୍ତୁ ଏଥି ମଧ୍ୟରୁ ବହୁ ବିଦ୍ୟାଳୟଗୁଡିକୁ ପୂର୍ବତନ ସରକାର ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ଥିବାରୁ ବନ୍ଦ କରି ଦେଇଛନ୍ତି। ସେହିପରି ଅନେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ଯୋଗୁଁ ବିଦ୍ୟାଳୟ ଗୁଡିକ ଠିକ୍‌ ଭାବେ ପରିଚାଳନା ହୋଇ ପାରୁନାହିଁ। ଯାହା ଫଳରେ ବହୁ ଗ୍ରାମ ମାନଙ୍କରେ ଶିକ୍ଷା ବ୍ୟବସ୍ଥା ପ୍ରାୟ ଭୁଷୁଡିବାରେ ଲାଗିଛି। ଅନ୍ୟ ପକ୍ଷରେ ମାଲକାନଗିରି ଜିଲ୍ଲାରେ ପ୍ରାୟ ୨୪୩ଟି ବଙ୍ଗାଳୀ ଗ୍ରାମଗୁଡିକ ଥିବା ବେଳେ ଉକ୍ତ ଗ୍ରାମମାନଙ୍କର ବିଦ୍ୟାଳୟରେ ବଙ୍ଗାଳୀ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି।କିନ୍ତୁ କୌଣସି ବିଦ୍ୟାଳୟରେ ମଧ୍ୟ ବଙ୍ଗାଳୀ ସାହିତ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ନଥିବାରୁ ଏହି ଛାତ୍ରଛାତ୍ରୀ ମାନେ ବଙ୍ଗାଳୀ ପାଠରୁ ବଞ୍ଚିତ ହେଉଛନ୍ତି। ଶେଷରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ତାଂକୁ ଦିଆଯାଇଥିବା ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଛି। କିନ୍ତୁ ଏହି ଚିକିତ୍ସାଳୟରେ ସମସ୍ତ ପ୍ରକାର ସୁବିଧା ଥିବା ସତ୍ତ୍ବେ ଡାକ୍ତରଙ୍କ ଘୋର ଅଭାବ ରହିଛି। ସମଗ୍ର ଜିଲ୍ଲାରେ ଡାକ୍ତରଙ୍କ ସଂଖ୍ୟା କମ୍ ଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବିଭାଗରେ ଡାକ୍ତରମାନଙ୍କୁ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି। ଏହି ଜିଲ୍ଲାରେ ବହୁ ମେଧାବୀ ଛାତ୍ରଛାତ୍ରୀ ଥିବା ବେଳେ ମେଡିକାଲ କଲେଜ ନଥିବାରୁ ଜିଲ୍ଲାର ଛାତ୍ରଛାତ୍ରୀମାନେ ଅନ୍ୟ ଜିଲ୍ଲା ଓ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଥିସହ ବହୁ ଖର୍ଜାନ୍ତ ମଧ୍ୟ ହେଉଛନ୍ତି। ତେଣୁ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଏକ ମେଡିକାଲ କଲେଜ ନିର୍ମାଣ କରାଗଲେ ଏଠାକାର ମେଧାବି ଛାତ୍ରଛାତ୍ରୀଙ୍କ ଅସୁବିଧା ଦୂର ହୋଇପାରିବ ବୋଲି କୁହାଯାଇଛି। ବିଭିନ୍ନ ମନ୍ତ୍ରୀଙ୍କୁ ଦାବି ପ୍ରଦାନ ବେଳେ ଜିଲ୍ଲା ସଭାପତି ନିମାଇ ପାଲଙ୍କ ସହ ସାଧାରଣ ସଂପାଦକ ମାଣିକ ଚକ୍ରବର୍ତ୍ତୀ, କୋଷାଧ୍ୟକ୍ଷ ସଂଜୟ ସରକାର, ନିହାର ରାୟ ,ବରିଷ୍ଠ ନେତା ନବଘନ ଲୋକେଇ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.