xmas

ସୋଆରେ ଜଳବାୟୁ ପରିବର୍ତନ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର, ୨୪/୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ‘ସଷ୍ଟେନେବୁଲ ଏଗ୍ରିକଲ୍‌ଚରାଲ ଡେଭଲେପ୍‌ମେଂଟ ୱିଥ୍ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍‌’ ଶୀର୍ଷକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଥିବା ବେଳେ ଜଳବାୟୁ ପରିବର୍ତନ ସମ୍ପର୍କିତ ପ୍ରଭାବକୁ ମୁକାବିଲା କରିବା ନିମନ୍ତେ ଅଂଚଳ ଭିତିକ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର୍‌କୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ନେଇ ଏଥିରେ ମତ ପ୍ରକାଶ ପାଇଛି ।

ଶନିବାର ଉଦ୍‌ଯାପିତ ହୋଇଯାଇଥିବା ଏହି ତିନି ଦିନିଆ ସମ୍ମିଳନୀରେ ଶିକ୍ଷା, ଶିଳ୍ପ ଓ ଗବେଷଣାରତ ଅନୁଷ୍ଠାନଗୁଡ଼ିକର ବିଶେଷଜ୍ଞଙ୍କ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇ ଜଳବାୟୁରେ ଅସ୍ଥିରତା କୃଷି କ୍ଷେତ୍ରରେ କିଭଳି ପ୍ରଭାବ ପକାଉଛି ଏବଂ ଏହି ସମସ୍ୟାକୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ଉପାୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ଏହି ସମ୍ମିଳନୀକୁ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲଚର (ସିସିଏସ୍‌ଏ) ଓ ସୋଆର କୃଷି କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଇଥିଲା ।

ଏହି ସମ୍ମିଳନୀରେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଡ୍ରୋନ୍‌, ଜଳବାୟୁ ଜନିତ ଅନିଶ୍ଚିତତାର ମୁକାବିଲା କରିବା ନିମନ୍ତେ ଅଟୋମେଟେଡ୍ ରୋଗ ନିରୂପଣ, ଉତ୍ପାଦନ ବୃଦ୍ଧି ଏବଂ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା କ୍ଷେତ୍ରରେ ଅଂଚଳ ଭିତିକ କ୍ଲାଇମେଟସ ସ୍ମାର୍ଟ ଚାଷ ସମ୍ପର୍କରେ ମତବ୍ୟକ୍ତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ ପରିଚାଳିତ ନେବ୍ରାସ୍କା ୱାଟର ସେଂଟରର ପ୍ରଫେସର ଓ ନିର୍ଦ୍ଦେଶକ ତଥା ସିସିଏସ୍‌ଏର ଆନ୍ତର୍ଜାତିକ ଉପଦେଷ୍ଟା ପ୍ରଫେସର ଚିତରଞ୍ଜନ ରାୟ ସଏଲ୍ ଇନ୍‌ଫର୍ମେସନ୍ ସିଷ୍ଟମ୍‌ର ଡିଜିଟାଲାଇଜେସନ୍ ଓ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ନିମନ୍ତେ ବିଭିନ୍ନ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ ।

ଡକ୍ଟର ରାୟ କହିଥିଲେ ୨୦୫୦ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୯୦୦ କୋଟି (୯ ବିଲିୟନ୍‌)କୁ ଟପିବାର ଯଥେଷ୍ଟ ସମ୍ଭାବନା ଥିବାବେଳେ ଏପରି ବିପୁଳ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ଆଗାମୀ ନୂଆପିଢ଼ି ପାଇଁ ବଡ଼ ଆହ୍ୱାନ ଭାବେ ଉଭା ହେବ ।

ଏହି ସମ୍ମିଳନକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ଦାୟିତ୍ୱରେ ଥିବା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍‌ଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ପାପଟରାଓ ବାଗୁଜୀ ପାୱାର, ଯିଏକି ମହାରାଷ୍ଟ୍ରର ହିୱାରେ ବଜାର ପଂଚାୟତର ସରପଂଚ ତଥା ଜଣେ ସମାଜସେବୀ କହିଥିଲେ ଯେ ଜଳବାୟୁ ପରିବର୍ତନ ଯୋଗୁଁ ଆମେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଏହାକୁ ନେଇ ପୃଥିବୀ ଉପରେ ପଡ଼ୁଥିବା ପ୍ରଭାବର ଛୋଟ ଛୋଟ ପ୍ରଚେଷ୍ଟା ଦ୍ୱାରା ମଧ୍ୟ ସମ୍ମୁଖୀନ ହେବା ସମ୍ଭବ ଅଟେ ।

ସେ ମହାରାଷ୍ଟ୍ରର ମରୁଡି ପ୍ରପୀଡ଼ିତ ଜିଲ୍ଲା ଅହମ୍ମଦନଗରର ହିୱାରେ ବଜାର ପଂଚାୟତର ସରପଂଚ ହିସାବରେ ସେଠାରେ ହୋଇଥିବା ପରିବର୍ତନ ବିଷୟରେ କହିଥିଲେ ଯେ ସ୍ୱଳ୍ପ ବୃଷ୍ଟିପାତ ଜନିତ ଜଳର ସଂରକ୍ଷଣ ଫଳରେ ମରୁଡ଼ି ଯୋଗୁଁ ସେ ଅଂଚଳ ଛାଡ଼ି ଚାଲିଯାଇଥିବା ଲୋକମାନେ ପୁଣି ଫେରି ଆସି ସେହି ଗ୍ରାମ ଗୁଡ଼ିକୁ ସବୁଜିମାରେ ଭରି ଦେଇଛନ୍ତି ।

ଶ୍ରୀ ପାୱାର କହିଥିଲେ ଯେ ସେ ନିଜ ଅଂଚଳର ଲୋକମାନଙ୍କୁ ଜଳ ଏବଂ ମୃତିକା ସଂରକ୍ଷଣ ପ୍ରକଳ୍ପ ହାତକୁ ନେବା ପାଇଁ ପ୍ରେତ୍ସାହିତ କରିଥିଲେ । ବର୍ତମାନ ସେହି ଅଂଚଳର କୃଷକମାନେ ପ୍ରତି ଏକର ପିଛା ବାର୍ଷିକ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯାହାକି ସେମାନଙ୍କର ପୂର୍ବ ଆୟର ୨୦ ଗୁଣ ଅଧିକ ଅଟେ ।

ଜଳବାୟୁ ପରିବର୍ତନ ବିଭିନ୍ନ ଅଂଚଳରେ ବାଦଲ ଫଟାବର୍ଷା ଏବଂ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ହିୱାରେ ବଜାର ପଂଚାୟତ ଏଥିରୁ ରକ୍ଷା ପାଇପାରିଛି କାରଣ ଏଠାରେ ଜଳ ସମସ୍ୟା ନାହିଁ । କାରଣ ଭୂତଳ ଜଳ ପରିଚାଳନା ଦ୍ୱାରା ପରିସ୍ଥିତିରେ ଉନ୍ନତି ଘଟିଛି ଓ ଗତ କିଛି ବର୍ଷ ମଧ୍ୟରେ ଏହି ଅଂଚଳରେ ୧୦ ଲକ୍ଷ ବୃକ୍ଷରୋପଣ କରାଯାଇଛି ବୋଲି ସେ କହିଥିଲେ ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମାଜର ହିତ ପାଇଁ ବର୍ତମାନ ବିଭିନ୍ନ କ୍ଷେତ୍ରରେ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଏହି ସମ୍ମିଳନୀରେ ସିସିଏସ୍‌ଏର ଡିଷ୍ଟିନ୍‌ଗୁଇସ୍‌ଡର ପ୍ରଫେସର ପ୍ର: ୟୁ.ସି. ମହାନ୍ତି ଯୋଗ ଦେଇ ଓଡ଼ିଶାର ବିଭିନ୍ନ ଆଗ୍ରୋ କ୍ଲାଇମେଟିକ୍ ଅଂଚଳରେ କିଛି କ୍ଲାଇମେଟ୍ସ ସ୍ମାର୍ଟ ଗ୍ରାମଗୁଡ଼ିକୁ ପୌଷ୍ୟ ଭାବେ ଗ୍ରହଣ କରିବାର ଆବଶ୍ୟକତାକୁ ନେଇ ମତ ରଖିଥିଲେ । ସୋଆ ପକ୍ଷରୁ କ୍ଲାଇମେଟ୍‌ସ ସ୍ମାର୍ଟ ସିଷ୍ଟମ୍ ନିମନ୍ତେ ଏକ ଆନ୍ତର୍ଜାତିକ ମଲ୍ଟିଡିସିପ୍ଲିନାରୀ ମାଷ୍ଟର୍ସ ପ୍ରୋଗ୍ରାମ୍‌ର ଯୋଜନା କରାଯାଉଥିବା ସେ ଉଲ୍ଲେଖ କରିଥିଲେ ।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଥିଲେ ଯେ ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ କେତେକ ଗ୍ରାମକୁ କ୍ଲାଇମେଟ୍‌ସ ସ୍ମାର୍ଟ ଗ୍ରାମ ଭାବେ ବିକଶିତ କରି ସେଠାରେ କୃଷକମାନେ ସମ୍ମୁଖିନ ହେଉଥିବା ସମସ୍ୟାର ସମାଧାନ କରିବାକୁ ଯୋଜନା ରହିଛି । ସିସିଏସ୍‌ଏର ନିର୍ଦ୍ଦେଶକ ତଥା ସମ୍ମିଳନୀର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ସମ୍ମିଳନୀରୁ ବାହାରିଥିବା ପ୍ରସ୍ତାବଗୁଡ଼ିକୁ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ ସୋଆ ପକ୍ଷରୁ ଚିହ୍ନିତ କ୍ଲାଇମେଟ୍‌ସ ସ୍ମାର୍ଟ ଗ୍ରାମଗୁଡ଼ିକରେ କୃଷି କ୍ଷେତ୍ରରେ ପର୍ଯ୍ୟାୟକ୍ରମେ ଉନ୍ନତି ଆଣିବା ନିମନ୍ତେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ାଯିବ ।

ଜଳବାୟୁ ପରିବର୍ତନ ଯୋଗୁଁ ବନ୍ୟା, ତାପମାତ୍ରା ବୃଦ୍ଧି ଓ ପ୍ରବଳ ବର୍ଷା ଭଳି ପରିସ୍ଥିତି ଦେଖାଦେଉଥିବା ବେଳେ ସହରାଂଚଳରେ ବାୟୁର ଗୁଣବତା ମଧ୍ୟ ପ୍ରଭାବିତ ହେଉଛି । ତେଣୁ ବିଶେଷଜ୍ଞମାନେ ସହରାଂଚଳରେ ଉନ୍ନତି ଏବଂ ସମସ୍ୟାକୁ ଦୂର କରିବା ପାଇଁ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂ ଉପରେ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.