xmas

୭ ଦିନ ହେବ ଜାତୀୟ ରାଜପଥରେ ପାଣି, ରାସ୍ତାରେ ଘାଇ ସୃଷ୍ଟି

ସୀମାନ୍ତ ମୋଟୁରେ ଶତାଧିକ ଟ୍ରକ ଅଟକି ରହିଛି
ଟ୍ରକ କର୍ମଚାରୀମାନଙ୍କ ଦୁର୍ଦଶା ବଢୁଛି
ମାଲକାନଗିରି, ୨୪/୭: ଫୁଲୁଛି ଗୋଦାବରୀ, ଫିଟୁନି ରାସ୍ତା। ଜାତୀୟ ରାଜପଥ କଡରେ ଶତାଧିକ ଟ୍ରକ ଛଡା ହୋଇଛି। ଦିନେ କି ଦୁଇ ଦିନ ନୁହେଁ, ବରଂ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଧରି ଅଟକି ରହିଛନ୍ତି ଶହ ଶହ ଟ୍ରକ ଓ ଟ୍ରକ କର୍ମଚାରୀ। ଏଭଳି ଚିତ୍ର ଦେଖିବାକୁ ମିଳିଛି ସୀମାନ୍ତ ମୋଟୁ ଅଂଚଳରେ। ଏବେ ଟ୍ରକ କର୍ମଚାରୀମାନଙ୍କ ପାଖରେ ନା ଟଂକା ଅଛି ନା ଖାଦ୍ୟ ପାନୀୟ। ଖାଦ୍ୟ ସରି ସରି ଆସୁଥିବା ବେଳେ ଦିନ ବିତିଗଲେ ବଢିବାରେ ଲାଗିଛି ଦୁର୍ଦଶା। ଓଡ଼ିଶା ପଟେ ଶହ ଶହ ଟ୍ରକ ଅଟକି ରହିଥିବା ବେଳେ ଆନ୍ଧ୍ର ପଟେ ମଧ୍ୟ ସେହି ତୁଳନାରେ ଟ୍ରକଗୁଡିକ ଅଟକି ରହିଛି। ହାଇଦ୍ରାବାଦ,ତାମିଲନାଡୁ,ଚିନ୍ନାଇ ଭଳି ସ୍ଥାନକୁ ଯିବାକୁ ଟ୍ରକ ଗୁଡିକ ଅଟକି ରହିଛି। ଆନ୍ଧ୍ର ରାସ୍ତାରେ ଏକ ବଡ ଘାଇ ସୃଷ୍ଟି ହୋଇଛି।ଗାଦୋବରୀ ପାଣି ମୋଟୁ ଅଂଚଳରେ ପଶିବା ପରେ ସେହି ପାଣି ନିଷ୍କାସନ ହୋଇପାରୁନଥିବା ଦେଖିବାକୁ ମିଳିଛି। ଯାହା ଫଳରେ ରାସ୍ତା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଆନ୍ଧ୍ର ପଟର ରାସ୍ତା କାମ ଚାଲିଥିବା ଯୋଗୁଁ ସମସ୍ୟା ଆହୁରି ବଢିଯାଇଛି। ରାସ୍ତା ଉପରେ ପାଣି ରହିଥିବା ବେଳେ ସ୍ଥାନୀୟ ଲୋକେ ସେହି ପାଣିରୁ ମାଛ ଧରୁଥିବା ଦେଖିବାକୁ ମିଳିଥିଲା। ସପ୍ତାହରୁ ଉର୍ଦ୍ଧ୍ବ ସମୟ ଧରି ଟ୍ରକ କର୍ମଚାରୀମାନେ ମୋଟୁ ସୀମାନ୍ତରେ ପଡି ରହିଛନ୍ତି। ଟ୍ରକର କ୍ୟାବିନ ହିଁ ରନ୍ଧାଶାଳ ଏବଂ ଶୋଇବା ଘର ପାଲଟିଛି। ଟ୍ରକ କର୍ମଚାରୀମାନେ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି। ଖାଦ୍ୟ ସରିବା ପରେ ଏହି ଅଂଚଳର ବ୍ୟବସାୟୀମାନେ ଏହା ଫାଇଦା ଉଠାଉଥିବା ଦେଖିବାକୁ ମିଳିଛି। ଗୋଟିଏ ଅଣ୍ଡାକୁ ୧୦ ଟଂକାରେ ବିକ୍ରି କରୁଥିବା ବେଳେ ପାଣି ଜାରକୁ ଚାଳିଶିରୁ ପଚାଶ ଟଂକାରେ ବିକ୍ରି କରୁଛନ୍ତି। ଏପରିକି ପନିପରିବା ଦର ଆକାଶ ଛୁଆଁ ହୋଇଯାଇଛି। ଟମାଟୋ କିଲୋ ୧୬୦ ଟଂକାରେ ବିକ୍ରି ହେଉଥିବା ବେଳେ ମରିଚ କିଲୋ ୨୦୦ ଟଂକା ହୋଇଛି। ଟ୍ରକ କର୍ମଚାରୀଙ୍କ ନିକଟରେ ଯାହା ଟଂକା ଥିଲା ତାହା ଏବେ ସରି ଆସୁଥିବା ବେଳେ ପାଖରେ ଥିବା ଶୁଖିଲା ଖାଦ୍ୟ ମଧ୍ୟ ସରିଯାଇଛି। ଆଗକୁ ରାସ୍ତା ନଫିଟିଲେ ବହୁ ସମସ୍ୟାରେ ପଡିବେ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି। ତେବେ ବହୁ ଟ୍ରକ ଚିନ୍ନାଇ ଯାଉଥିବା ବେଳେ ସେମାନଙ୍କର ଭାଷା ସ୍ଥାନୀୟ ଲୋକେ ବୁଝିନପାରୁଥିବାରୁ ସମସ୍ୟା ସୃଷ୍ଟି ମଧ୍ୟ ହେଉଛି। ଏନେଇ ପ୍ରଶାସନ ଅବଗତ ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପଟରେ ରାସ୍ତା ଖରାପ ଥିବାରୁ ଆମେ କିଛି କରିପାରିବୁ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି।ଅନ୍ୟଦିଗରେ ଟ୍ରକର କର୍ମଚାରୀଙ୍କୁ ଥଇଥାନ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଦାବି ହୋଇଛି। ଏନେଇ ମୋଟି ତହସିଲଦାରଙ୍କୁ ପଚାରିବାରୁ ସେମାନେ ପଡିଆ ରାସ୍ତା ଦେଇ ଛତିଶଗଡ ଦେଇ ଯାଉନାହାନ୍ତି କାହିଁକି ବୋଲି ଉତ୍ତର ଦେଇଥିଲେ। ଯାହା ସମ୍ଭବ ନୁହେଁ। କିନ୍ତୁ ଅନ୍ୟଦିଗରେ ଏଡିଏମଓ ବେଦବର ପ୍ରଧାନଙ୍କୁ ଏନେଇ ଅବଗତ କରାଇବାରୁ ସେ ଏହାକୁ ଗୁରୁତ୍ବର ସହ ନେବେ ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ।

Leave A Reply

Your email address will not be published.