xmas

ଏୟାରପୋର୍ଟରେ ଚରୁଛି ଗାଈ, ଟର୍ମିନାଲରେ ଶୋଉଛି କୁକୁର

ମାଲକାନଗିରି, ୨୭/୭: ମାଲକାନଗିରି ଏୟାରପୋର୍ଟ ଏବେ ବର୍ଷାରେ ବେହାଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉଦଘାଟନ ପରେ ମାଲକାନଗିରିବାସୀଙ୍କ ଆଶା ଉଦ୍ଜିବିତ ହେବା ସହ ଆକାଶ ମାର୍ଗରେ ମାଲକାନଗିରି ଯୋଡି ହେବା ନେଇ ବେଶ ଖୁସି ଥିଲେ ଜିଲ୍ଲାବାସୀ। କିନ୍ତୁ ଉଦଘାଟନ ପରେ ଦିନ ଯେତିକି ଗଡୁଛି ବିମାନବନ୍ଦରର ଅବସ୍ଥା ସେତିକି ଶୋଚନୀୟ ହୋଇ ପଡୁଛି। ବର୍ତ୍ତମାନ ଟର୍ମିନାଲଟି ବୁଲା କୁକୁରଙ୍କର ଆଶ୍ରୟସ୍ଥଳୀ ପାଲଟିଥିବା ବେଳେ ଏୟାରପୋର୍ଟରେ ଚରୁଛି ଗାଈ। ଏୟାରପୋର୍ଟରେ ଯଦିଓ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି, ଖୋଲାମେଲା ଏୟାରପୋର୍ଟରେ କିଏ କେତେବେଳେ ପଶୁଛି ଓ କିଏ କେତେବେଳେ ବାହାରୁଛି ତାହା ଜଣାପଡୁନାହିଁ। ଜାଗା ଜାଗାରେ ଖାଲ, କୃତ୍ରିମ ପଖୋରୀ, ରାସ୍ତାରେ ଘାଇ। ପ୍ରଶାସନ କହିଛି ଏହା ପରେ ଅନୁଧ୍ୟାନ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବ।ମାଲକାନଗିରି ବିମାନବନ୍ଦର ବାହାରୁ ଚକାଚକ ଟର୍ମିନାଲ, ଚକାଚକ ସାଇନବୋର୍ଡ, ଆଉ ଭିତରୁ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଓଲଟା। ବିମାନବନ୍ଦର ପଶୁ ପଶୁ ରାସ୍ତାରେ ପାଣି। ଟର୍ମିନାଲରୁ ରନଵେକୁ ଯିବା ପାଇଁ ଧୋଇ ଯାଇଛି ରାସ୍ତା, ସୃଷ୍ଟି ହୋଇଛି ଘାଇ, ରାସ୍ତାରେ ଫାଟ। ନିମ୍ନମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ପାଚେରୀ ଭାଙ୍ଗି ଖୋଲାମେଲା ଏୟାରପୋର୍ଟ। ଯାହାକି ଏୟାରପୋର୍ଟରେ ଏବେ ଚରୁଛନ୍ତି ଗାଈ। ଆଉ ଟର୍ମିନାଲରେ ଆଶ୍ରୟ ନେଉଛନ୍ତି ବୁଲା କୁକୁର। ଆଉ ଏୟାରପୋର୍ଟ ଭିତରେ ଜାଗା ଜାଗାରେ ସୃଷ୍ଟି ହୋଇଛି କୃତ୍ରିମ ପଖୋରୀ। ନିର୍ବାଚନ ପୂର୍ବରୁ ଅତି ତରବରିଆ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କଲେ। ବିମାନ ଚାଲିବାର ଜିଲ୍ଲାବାସୀକୁ ସ୍ବପ୍ନ ଦେଖାଇଲେ। ତେବେ ଉଦଘାଟନ ପରେ ପୂର୍ବତନ ୫-ଟି ଅଧ୍ୟକ୍ଷଙ୍କ ପରି କିଛି ନେତା ଏଠାରେ ଏୟାରକ୍ରାଫ୍ଟରେ ଅବତରଣ କରି ନିର୍ବାଚନ ପ୍ରଚାର କଲେ। ତାପରେ ଏ ହେଉଛି ଏୟାରପୋର୍ଟର ବାସ୍ତବ ସ୍ଥିତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନିର୍ବାଚନ ପାଇଁ ଏହା ଏକ ପୂର୍ବତନ ସରକାରଙ୍କର ଥୋପ ବୋଲି କହୁଥିବା ବେଳେ ନିମ୍ନମାନର କାର୍ଯ୍ୟକୁ ନେଇ ଅସଂତୋଷ ଜାହିର କରିବା ସହ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହାରି ଭିତରେ ବଦଳିଛି ସରକାର ,ବଦଳିଛି ସରକାରୀ କଳ। ଆଗାମୀ ଦିନରେ ବର୍ତ୍ତମାନର ସରକାର ଏହି ଏୟାରପୋର୍ଟର କାର୍ଯ୍ୟକ୍ଷମ ପାଇଁ କି କି ପଦକ୍ଷେପ ନେବେ ଓ ଏହାର କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି ,ତାହା ଉପରେ ସମସ୍ତଙ୍କ ନଜର ରହିଛି।ଅନ୍ୟଦିଗରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି ଏୟାରପୋର୍ଟ ଉପରେ ଅନୁଧ୍ୟାନ ଚାଲିଛି,କଣ ରହିଛି ବାସ୍ତବ ସ୍ଥିତି ତାକୁ ଅନୁଧ୍ୟାନ କରାଯାଇ କିଭଳି ଏହା କାର୍ଯ୍ୟକାରୀ ହେବ ତାଉପରେ ଗୁରୁତ୍ବ ଦିଆଯିବ। ତେବେ ଆଗାମୀ ଦିନରେ ବର୍ତ୍ତମାନର ସରକାର ଏହାରି ଉପରେ ଗୁରୁତ୍ବ ଦେଇ ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ପଦକ୍ଷେପ ନେବେ ନା ଏୟାରପୋର୍ଟ ନାମ ଥିବା ସବୁଦିନ ପାଇଁ ଏୟାରଷ୍ଟ୍ରିପ ହୋଇ ରହିଯିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.