ବିଧାୟକଙ୍କ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ତଦନ୍ତ

  • ୫-ଟି ସ୍କୁଲ ଛାତ ସିଲିଂ ଖସି ଛାତ୍ରୀ ଆହତ ଘଟଣା

ବଡ଼ଚଣା: ବଡଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ଗରଗାଲି ସ୍ଥିତ ମା’ ମଲ୍ୟାଶୁଣୀ ହାଇସ୍କୁଲରେ ଗତ ୫ ତାରିଖ ଦିନ ଛାତ ସିଲିଂ ଖସି ୫ ଜଣ ଛାତ୍ରୀ ଆହତ ହେଇଥିବା ଘଟଣା ଚର୍ଚ୍ଚାକୁ ଆସିଥିଲା l ଏ ନେଇ ସ୍ଥାନୀୟ ବିଧାୟକ ଅମର ନାୟକ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ନିମ୍ନ ମାନର କାମ ନେଇ ଏପରି ଘଟଣା ଘଟିଲା ବୋଲି ଅଭିଯୋଗ କରିଥିଲେ ଏଵଂ ଏହାର ତଦନ୍ତ କରିବାକୁ କହିଥିଲେ l

ଶୁକ୍ରବାର ଦିନ ଯାଜପୁର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ବଡଚଣା ବିଧାୟକ ଅମର କୁମାର ନାୟକ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର କାର୍ଯ୍ୟ ବୁଲି ତଦାରଖ କରିଛନ୍ତି l ପରିଦର୍ଶନ ସମୟରେ ପାଚେରୀ ନିର୍ମାଣ ସଠିକ ଭାବେ ନକରି ପଇସା ଉଠା ଯାଇଥିବା ଏଵଂ ଖେଳ ପଡ଼ିଆ ଉନ୍ନତିକରଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ l ନୂଆ ଭାବେ ବାକିଥିବା ସମସ୍ତ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଭାଙ୍ଗି ଯାଇଥିବା କ୍ଲାସ ରୁମକୁ ଆଉ ଥରେ ନିର୍ମାଣ ପାଇଁ ନିର୍ଦ୍ଧେଶ ଦେଇଛନ୍ତି l ଯଦି ଠିକାଦାର ଶୀଘ୍ର କାମ ନକରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ମାମଲା ରୁଜୁ କରିବା ପାଇଁ ବଡ଼ଚଣା ବିଡ଼ିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି l ଏହି ପରିଦର୍ଶନ କରିବା ସମୟରେ କୁନ୍ଦଳ ସରପଞ୍ଚ ପ୍ରମିତା ରାଉତ, ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର, ସମାଜସେବୀ ଏବଂ ବିଜେପିର ବହୁ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave A Reply

Your email address will not be published.