ଭିଏତନାମ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳଙ୍କ ସୋଆ ପରିଦର୍ଶନ କାର୍ଯ୍ୟକ୍ରମ ଶେଷ

ଭୁବନେଶ୍ୱର, ୦୩ ଅଗଷ୍ଟ : ଜୁଲାଇ ୩୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ୪ ଦିନିଆ ପରିଦର୍ଶନରେ ଆସିଥିବା ଭିଏତନାମର ହୋ ଚି ମିନ ସିଟିରେ ଅବସ୍ଥିତ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳର ଗସ୍ତ ଶନିବାର ଶେଷ ହୋଇଛି ।

ବିଶ୍ୱବିଦ୍ୟାଳୟର ଡେପୁଟି ଡାଇରେକ୍ଟର ଡକ୍ଟର ଫୁକ ମିନ ହିପଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଏହି ଅବସରରେ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଡାଟା ସାଇନ୍ସ ବିଭାଗର ମୁଖ୍ୟ ଡକ୍ଟର ଡାଓ ଭାନ ତୁଏଟ ମଧ୍ୟ ଉପସ୍ଥିତ ଥିଲେ ।

ସୋଆର ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ପରିଦର୍ଶନ କରିବା ପରେ ଏଠାରେ ଥିବା ବ୍ୟବସ୍ଥା ଓ ସୁଯୋଗକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଏହାଦ୍ୱାରା ପ୍ରତିନିଧି ଦଳ ପ୍ରଭାବିତ ହୋଇଥିବା ପ୍ରକାଶ କରିଥିଲେ । ପ୍ରତିନିଧି ଦଳଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ଆତିଥ୍ୟକୁ ନେଇ ମଧ୍ୟ ସେମାନେ ଖୁସି ବ୍ୟକ୍ତ କରିଥିଲେ ।

ସୋଆର ମେଡିକାଲ୍ କଲେଜ ଏବଂ ଗବେଷଣା କେନ୍ଦ୍ରଗୁଡ଼ିକ ଜେନୋମିକ୍ସ, ବାୟୋ-ଇନ୍‌ଫର୍ମାଟିକ୍ସ, ଫାର୍ମାସ୍ୟୁଟିକାଲ୍‌ସ, ଡାଟା ସାଇନ୍ସ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏସ୍‌ଆଇୟୁ ମଧ୍ୟ ଏହି ସବୁ ବିଷୟକୁ ନେଇ ସୋଆ ସହ ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ସହଯୋଗିତା ନିମନ୍ତେ ଉତ୍ସୁକ ବୋଲି ଡକ୍ଟର ହିପ୍ କହିଥିଲେ ।

ଭିଏତନାମ ପ୍ରତିନିଧି ଦଳ ସୋଆର ବିଭିନ୍ନ ବିଭାଗର ଫ୍ୟାକଲ୍ଟିମାନଙ୍କ ସହ ଆଲୋଚନା କରିବା ସହ ପ୍ରଶିକ୍ଷଣ ସୁବିଧାଗୁଡ଼ିକ ମଧ୍ୟ ବୁଲି ଦେଖିଥିଲେ ।

ପ୍ରଫେସର (ଡକ୍ଟର) ନାୟକ କହିଥିଲେ ଯେ ଏସ୍‌ଆଇୟୁ ସୋଆ ସହଯୋଗିତା ନେଇ ଏକ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ଆବଶ୍ୟକ ।

ପ୍ରଫେସର ନାୟକଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ବିଶ୍ୱବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ ଏବଂ ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

ଡକ୍ଟର ହିପ୍ ଏବଂ ଅନ୍ୟ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଂଚିବା ପରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଫେସର, ଗବେଷକ ଓ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ ।

ଏହା ପ୍ରତିନିଧି ଦଳ ଭୁବନେଶ୍ୱର ବିଭିନ୍ନ ଐତିହାସିକ ସ୍ଥଳୀ ବୁଲି ଦେଖିଥିଲେ ।

Leave A Reply

Your email address will not be published.