ନିର୍ମାଣ ହେଲା ବାୟାପଡା ଗ୍ରାମ ରାସ୍ତା, ଯାତାୟତରେ ହେଲା ସୁଧାର

ମାଲକାନଗିରି, ୫।୮: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତ ତୁମ୍ବାପଦର ଗାଁ ନିକଟରେ ଗତ ମାସ ଲଗାଣ ବର୍ଷାରେ ଏକ ଭୀଷଣ ଭୂସ୍ଖଳନ ହୋଇଥିଲା। ଫଳରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ସଡ଼କ ଓରିଙ୍ଗ ଠାରୁ ବାୟାପଡା ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇ ଯାଇଥିଲା। ଏହି ରାସ୍ତାଟି ଖଇରପୁଟ ଏବଂ କୋରୁକୋଣ୍ଡା ବ୍ଲକକୁ ଯୋଗାଯୋଗ କରୁଥିଲା। ୧.୮୫୦ କିମି ଠାରୁ ୨.୫୮୦ କିମି ପର୍ଯ୍ୟନ୍ତ ରାସ୍ତା ଧୋଇ ଯିବା ପରେ ସ୍ଥାନୀୟ ଲୋକେ ଏକ ଅସ୍ଥାୟୀ କାଠ ପୋଲ କରି ଯିବା ଆସିବା କରୁଥିଲେ। ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇବା ସହ ରାସ୍ତା ମରାମତି କାର୍ଯ୍ୟ ଦୃତ ଗତିରେ ଆରମ୍ଭ କରିଥିଲେ। ଯେହେତୁ ବାୟାପଡା ଏକ ତୀକ୍ଷ୍ଣ ଘାଟି ଅଞ୍ଚଳ ତେଣୁ ଅଧିକାରୀ ମାନଙ୍କୁ ସାମାନ୍ୟ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା। ପ୍ରଥମେ ଅସ୍ଥାୟୀ କାଠ ପୋଲ ପରିବର୍ତ୍ତେ ଘାଟି ତଳୁ ପଥର, ସ୍ପଲ ନେଇ ସୃଷ୍ଟି ହୋଇଥିବା କୃତ୍ରିମ ନାଳରେ ପକାଇବା ସହ ବାଲି ମାଟି ପକାଇ ପାଣି ବହିବା ବନ୍ଦ କରିଥିଲେ। ତାପରେ ତୀକ୍ଷ୍ଣ ଘାଟିରେ ବଡ଼ ବଡ଼ ହୁମ ପାଇପ ନେଇ ପକାଇ ରାସ୍ତାଟିକୁ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ କରାଯାଇଛି ବୋଲି ଯନ୍ତ୍ରୀ କହିଛନ୍ତି। ଚଳିତ ମାସ ୨ ତାରିଖ ଠାରୁ ଦୁଇ ଚକିଆ ଏବଂ ହାଲକା ଚାରି ଚକିଆ ଯାନ ଯିବା ଆସିବା ଯୋଗ୍ୟ ହୋଇପାରିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏବେ ସୁରିପଡା, ବାୟାପଡା, ଗଙ୍ଗପଡା, ଘିସିଙ୍ଗଗୁଡା, ଆମ୍ବିଲିବେଡା, ଅଙ୍ଗୁର ଗୁଡା ଭଳି ପାଖାପାଖି ୧୮ ଟି ଗାଁକୁ ଯୋଗାଯୋଗ ସୁଗମ ହୋଇ ପାରିଛି। ସୂଚନାଯୋଗ୍ୟ ଯେ ଗତ ମାସର ଶେଷ ଭାଗରେ ପ୍ରବଳ ବର୍ଷା ହୋଇଥିଲା। ଯାହା ଦ୍ବାରା ଜିଲ୍ଲାର କିଛି ଅଞ୍ଚଳରେ ରାସ୍ତା, କଲଭର୍ଟ ସବୁ କ୍ଷୟକ୍ଷତି ହେବା ସହ କିଛି ତଳିଆ ପୋଲ ମଧ୍ୟ ଜଳମଗ୍ନ ହୋଇଥିଲା। ତେବେ ପୁଣି ଏକ ଲଘୁଚାପ ଅବପାତ ହେବାର ଅଛି। ଆସନ୍ତା ୬ ତାରିଖ ଠାରୁ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଣୁ ମରାମତି ହୋଇଥିବା ରାସ୍ତା ନିକଟରେ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସେହି ସ୍ଥାନରେ ଏକ ପ୍ରୋକଲିନ ଓ ଏକ ଟ୍ରାକ୍ଟର ରଖାଯାଇଛି ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ଯଦି ଉକ୍ତ ସଡକରେ ଆଗାକୁ କିଛି ଭୂସ୍ଖଳନ କିମ୍ବା ରାସ୍ତା ଧୋଇ ଯାଏ ତା’ହେଲେ ତତ୍କାଳ ମରାମତି ହୋଇପାରିବ। ଯଦିଓ ନାରିଙ୍ଗଝୋଲା ଗାଁ ପଟେ ଏକ ବିକଳ୍ପ ରାସ୍ତା ମଧ୍ୟ ରହିଛି। ରାସ୍ତାଟି ଚାରି ଚକିଆ ଯାନ ଯିବା ଆସିବା କରିବା ପାଇଁ ସୁରକ୍ଷିତ ଅଛି ବୋଲି ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ବେହେରା କହିଛନ୍ତି ।

Leave A Reply

Your email address will not be published.