ପୋଲାଭରମ ପ୍ରକଳ୍ପ ଯୋଗୁଁ ହେବ ବ୍ୟାପକ କ୍ଷୟକ୍ଷତି, ସ୍ଥିତିର ସମୀକ୍ଷା କଲେ ଆମ ଜନତା ଅଧିକାର ସଙ୍ଗଠନ

ମାଲକାନଗିରି, ୭।୮: ପୋଲାଭରମ ପ୍ରକଳ୍ପକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଏହି ପ୍ରକଳ୍ପ ଦ୍ଵାରା ମାଲକାନଗିରି ଜିଲ୍ଲା ବିଶେଷ ରୂପେ କ୍ଷତିଗ୍ରସ୍ତ ହେବାର ଅନୁମାନ ରହିଛି । ତେବେ ଏହି ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ବେଳେ ଏହା ପ୍ରଭାବରେ ଜିଲ୍ଲାର ମୋଟୁ ଅଞ୍ଚଳରେ ଅନେକ ଥର ବନ୍ୟା ପରିସ୍ଥିତି ଉପୁଜୁଛି । ଯାହାକୁ ନେଇ ଜିଲ୍ଲାରେ କେତେ କ୍ଷୟକ୍ଷତି ହେବ ଏହାର ଆକଳନ ଓ ସମୀକ୍ଷା କରିବା ପାଇଁ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛି ଆମ ଜନତା ଅଧିକାର ସଙ୍ଗଠନର ଏକ ସ୍ବତନ୍ତ୍ର ଦଳ । ଏହି ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲାକୁ ଆସି ଗତକାଲି ଜିଲ୍ଲାପାଳ ସଚିନ ପାୱାରଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିବା ବେଳେ ଆଜି ଜିଲ୍ଲାର ମୋଟୁ ତହସିଲର ମୋଟୁ, ବିନାୟକପୁର, ଆଲମା, ମୁଗୀ ପଏଣ୍ଟ ଓ ଛତିଶଗଡ଼ ଦ୍ୱାରା ନିର୍ମିତ ସାବେରୀ ସେତୁ ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ । କୌଣସି କ୍ଷୟ କ୍ଷତି ଆକଳନ ନକରି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବାରୁ ମୋଟୁର ତଳୁଆ ଅଂଚଳରେ ଥିବା ଗାଁ ଗଣ୍ଡା ସହ ଜଙ୍ଗଲ ଜମି ଓ ଚାଷ ଜମି ବୁଡିଯିବାର ଆଶଙ୍କା ରହିଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତ୍ରିପାଠୀ । ତେଣୁ ପ୍ରଭାବିତ ଲୋକଙ୍କୁ ଥଇଥାନ କରିବା ସହିତ କ୍ଷତି ପୂରଣ ଦେବାକୁ କେନ୍ଦ୍ର ମନ୍ତ୍ରୀ ସରକାରଙ୍କ ନିକଟରେ ଦାବି କରିଛନ୍ତି । ତେବେ ଏହି ଦଳରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଆମ ଜନତା ଅଧିକାର ସଂଗଠନର ଆବାହକ ମନୋଜ ଜେନା, ରାଜ୍ୟ ଅଭିଭାବକ ସଂଘ ଆବାହକ ବାସୁଦେବ ଭଟ, ପୂର୍ବତନ ବିଧାୟକ ନିମାଇଁ ସରକାର, କାଲିମେଳା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାଲା ମାଢି ଓ ଜିଲ୍ଲା କଂଗ୍ରେସର କିଛି ନେତା ସାମିଲ ଥିଲେ । ତେବେ ସମୀକ୍ଷା ସାରି ଫେରିବା ପରେ ଏହି ଦଳ ପକ୍ଷରୁ ଜିଲ୍ଲା ସଦରରେ ଥିବା ସର୍କିଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ କରଯାଇଥିଲା । ଯେଉଁଥିରେ ସେମାନେ ପୋଲାଭରମ ପ୍ରକଳ୍ପ ଯୋଗୁଁ ହେବାକୁ କ୍ଷୟକ୍ଷତିର ଆକଳନ ବିଷୟରେ ଉପସ୍ଥାପନ କରି ରାଜ୍ୟ ସରକାର ଏହି ଦିଗରେ ତ୍ଵରିତ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରିଥିଲେ । ଏହାସହ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଚଳିତ ବଜେଟରେ ଅନୁଦାନ ଦେଇଛନ୍ତି, ଏହି ପ୍ରକଳ୍ପ ଯୋଗୁଁ ଓଡିଶାର କ୍ଷତି ହେବ । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ କୌଣସି ଉଦାସୀନ୍ତା ନାହି । ତେଣୁ ଓଡିଶା ପାଇଁ ଆମେ ଚିନ୍ତିତ । ସିଲେରୁ ଓ ସାବେରୀ ନଦୀରେ ପ୍ରକଳ୍ପ ପାଇଁ ପଛୁଆ ଜଳ ଆସି ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହେବ । ଏହି ପ୍ରକଳ୍ପ ପାଇଁ ଆନ୍ଧ୍ର ହସିବ ଓ ଓଡିଶା କନ୍ଦିବା ଏହା ଆମେ ବରଦାସ୍ତ କରିବୁ ନାହି । ଏଣୁ ଏହା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦ୍ରୁଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.