xmas

ମାଲକାନଗିରି ଜିଲ୍ଲାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ମାଲକାନଗିରି, ୧୫/୦୮/୨୪: ଓଡିଶା ଓ ଓଡିଆ ଲୋକମାନଙ୍କର ବିକାଶ ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଓଡିଆ ଅସ୍ମିତାର ପୁନଃ ଉଦ୍ଧାର ଓ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ୨୦୦ କୋଟି ଟଙ୍କାର ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହା ଅଧୀନରେ ପାଇକ ବିଦ୍ରୋହ ସ୍ମାରକୀ ଉନ୍ନତିକରଣ, ଜାତୀୟ ଓ ଆନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା, ଜିଲ୍ଲାସ୍ତରୀୟ ଇ-ଗ୍ରନ୍ଥାଳୟ ପ୍ରତିଷ୍ଠା ଭଳି ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯିବା ସଙ୍ଗେସଙ୍ଗେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ସମ୍ପାଦନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ବୋଲି ୭୮ତମ ସ୍ବାଧିନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିତି ଆୟୋଗ ସହଯୋଗରେ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ-୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ-୨୦୪୭ ପ୍ରସ୍ତୁତ କରାଯିବାର ମଧ୍ୟ ଲକ୍ଷ୍ୟ ରଖା ଯାଇଛି ।

ଛାତ୍ରଛାତ୍ରୀ ଏବଂ ଯୁବକ ମାନେ ହେଉଛନ୍ତି ରାଜ୍ୟର ଆଶା ଓ ଏକ ପ୍ରଭାବଶାଳୀ ସମାଜ ନିର୍ମାଣର ଆଧାର । ଉଚ୍ଚ ଶିକ୍ଷା ଲାଭ କରି ନିଜକୁ ସଶକ୍ତ କରିବା ସହ ଏକ ଉଜ୍ଜ୍ଵଳ ଭବିଷ୍ୟତର ନିର୍ମାଣ କରିବା ସେମାନଙ୍କର ଗୁରୁଦାୟିତ୍ଵ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ।

ମନ୍ତ୍ରୀ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ଜାତୀୟ ପତାକା ଉତ୍ତୋଳନ ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଆଶିଷ ଈଶ୍ୱର ପାଟିଲ ଓ ଆରକ୍ଷୀ ଅଧିକ୍ଷକ, ନୀତେଶ ୱାଧୱାନୀ ଉପସ୍ଥିତ ଥିଲେ। ସମୁଦାୟ ୨୯ ଗୋଟି ପ୍ୟାରେଡ ଦଳ ଓ ୫ ଗୋଟି ସାଂସ୍କୃତିକ ଦଳ ଭାଗ ନେଇଛନ୍ତି। ଜିଲ୍ଲାସ୍ତରରେ ସର୍ବାଧିକ ନମ୍ବର ରଖିଥିବା ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ସ୍ବାଧିନତା ସଂଗ୍ରାମୀଙ୍କ ଦାୟଦ ଓ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ, ନରସିଂହ ମାଡକାମୀ ଓ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମନ୍ତ୍ରୀ କ୍ରୀଡା, ଉଚ୍ଚ ଶିକ୍ଷା ଓ ସଂସ୍କୃତି ବିଷୟ ନେଇ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଆଗାମୀ ଛଅ ମାସ ପାଇଁ କ୍ରୀଡା ଓ ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ଏକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କ୍ରୀଡା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଯୁବଗୋଷ୍ଠୀଙ୍କ ଦକ୍ଷତା ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ତୀରନ୍ଦାଜ, ଫୁଟବଲ କିମ୍ୱା ଭଲିବଲ୍ ଭଳି କ୍ରୀଡା ପ୍ରଶିକ୍ଷଣ ନିମନ୍ତେ ଭିତ୍ତିଭୂମି ଯୋଗାଇ ଦେଲେ ଏହି ଅଞ୍ଚଳର ଯୁବଗୋଷ୍ଠୀ ଉପକୃତ ହୋଇପାରିବେ ବୋଲି ବୈଠକରେ କୁହାଯାଇଥିଲା। ଏହାକୁ ବିଚାରକୁ ନିଆଯାଇ ଏହି ଅଞ୍ଚଳର ଯୁବଗୋଷ୍ଠୀଙ୍କ ନିମନ୍ତେ ଏହି କ୍ରୀଡା ଗୁଡ଼ିକର ପ୍ରଶିକ୍ଷଣ ବ୍ୟବସ୍ଥା କରିବା ନିମନ୍ତେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସଂସ୍କୃତି ଓ ପରମ୍ପରାର ସମ୍ଭାର ହେଉଛି ମାଲକାନଗିରି। ଜିଲ୍ଲାରେ ୫୦୦ ସିଟ୍ ବିଶିଷ୍ଟ ଉନ୍ନତ ମାନର ଉଚ୍ଚ କ୍ଷମତା ସମ୍ପନ୍ନ ସଂସ୍କୃତି ଭବନ ନିର୍ମାଣ କରାଯିବ ବୋଲି ମଧ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି। ସଂସ୍କୃତି ଭବନ ସହ ସେଣ୍ଟ୍ରାଲ ଲାଇବ୍ରେରୀ ବ୍ୟବସ୍ଥା କରାଯିବ ଏବଂ ଦେଶର ସୁନାମଧନ୍ୟ କୋଚିଂ ଅନୁଷ୍ଠାନ ସହ ସହଭାଗିତା କରି ଅନଲାଇନ୍ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ। ଯାହା ଫଳରେ ଯୁବଗୋଷ୍ଠୀ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

ମାଲ୍ୟବନ୍ତ ମହୋତ୍ସବକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ସହ ଏହି ଉତ୍ସବ ନିମନ୍ତେ ଏକ ସ୍ବତନ୍ତ୍ର ସ୍ଥାନ ନିରୂପଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଏହି ମହୋତ୍ସବ ଜରିଆରେ ସଂସ୍କୃତି ବିନିମୟ ଲାଗି ପ୍ରୟାସ କରାଯିବ ଯାହା ଫଳରେ ମାଲକାନଗିରି ଜିଲ୍ଲାର ସଂସ୍କୃତି ଓ ପରମ୍ପରା ବିଷୟରେ ଅନ୍ୟ ଅଞ୍ଚଳବାସୀ ଜାଣି ପାରିବେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି। ସେହିପରି ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ବିଳମ୍ବ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପଡ଼ିଆ ବ୍ଲକରେ ଏକ ଡ଼ିଗ୍ରୀ ମହାବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଅନୁମୋଦନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଯେଉଁ ସବୁ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ ବାକି ରହିଛି ତାକୁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.