xmas

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର ମାଲକାନଗିରି ମହାବିଦ୍ୟାଳୟ ପରିଦର୍ଶନ

ମାଲକାନଗିରି ତା ୧୫/୦୮/୨୦୨୪: ଆଜି ତା ୧୫/୦୮/୨୦୨୪ରିଖ ଭାରତର ୭୮ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ମାଲକାନଗିରି ମହାବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ l ଦିନ ୧୦.୩୦ମି ସମୟରେ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡକାମୀ, ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧୀକ୍ଷକ ନୀତିଶ ୱାଧିୱାନୀଙ୍କ ସହିତ କଲେଜ ପରିସରରେ ପହଞ୍ଚିଥିଲେ l ଉଚ୍ଚ ଶିକ୍ଷା ବିଭାଗର ମାନ୍ୟବର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ. ଗୋପାଳ ହାଲଦାର, କଲେଜ ପରିଚାଳନା କମିଟିର ସଭାପତି ଡ଼ଃ ଉଦୟନାଥ ଖରା ପୂର୍ବରୁ ଉପସ୍ଥିତ ଥିଲେ l ପ୍ରଥମେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ, ମାନ୍ୟବର ବିଧାୟକ ଓ ଅନ୍ୟାନ୍ୟ ଅତିଥିମାନଙ୍କୁ କଲେଜର ମୁଖ୍ୟ ଫାଟକ ଠାରୁ ଅଫିସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ,ପୂର୍ବତନ ଛାତ୍ର ଓ ଏନ.ସି.ସି କ୍ୟାଡେଟ ମାନେ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ l ଅତିଥିମାନେ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପହଞ୍ଚିଲା ପରେ ଭାରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, କଲେଜ ପରିଚାଳନା କମିଟିର ସଭାପତି ଡ଼ଃ. ଖରା ଓ ବାଣିଜ୍ୟ ବିଭାଗର ମୁଖ୍ୟ ତଥା IQAC ସଂଯୋଜକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଫୁଲତୋଡ଼ା ଓ ଉପଢୌକନ ଦେଇ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମରେ କଲେଜର ପୂର୍ବତନ ଛାତ୍ର ସଞ୍ଜୟ ସର୍କାର, ମାଣିକଲାଲ ଚକ୍ରବର୍ତ୍ତୀ,ବସନ୍ତ ନାୟକ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ l ମାନ୍ୟବର ମନ୍ତ୍ରୀ, କଲେଜ ଅଧ୍ୟକ୍ଷ ଓ ପରିଚାଳନା କମିଟିର ସଭାପତିଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l ଏହାପରେ ମାନ୍ୟବର ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ କଲେଜର ସଭାକକ୍ଷରେ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ମନଦେଇ ପାଠ ପଢି ବଡ଼ ମଣିଷ ହେବା ପାଇଁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମକୁ IQAC ସଂଯୋଜକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ପରିଚାଳନା କରିଥିଲେ l ମାନ୍ୟବର ମନ୍ତ୍ରୀ ମୁଖ୍ୟ ଅତିଥି, ମାନ୍ୟବର ବିଧାୟକ ମୁଖ୍ୟବକ୍ତା ଭାବେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ l ପରିଶେଷରେ ଇଂରାଜୀ ବିଭାଗର ମୁଖ୍ୟ ଉମେଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର କଲେଜ ଗ୍ରସ୍ତ କାର୍ଯ୍ୟକ୍ରମ ଏକ ସଫଳ କାର୍ଯ୍ୟକ୍ରମ ଥିଲା ଓ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲା l

Leave A Reply

Your email address will not be published.