ଭୁବନେଶ୍ୱର, ୧୯/୦୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଏବଂ ବେଙ୍ଗାଲୁରୁ ସ୍ଥିତ ଭେରି ଲାର୍ଜ ସ୍କେଲ୍ ଇନ୍ଟିଗ୍ରେସନ୍ ସୋସାଇଟି ଅଫ୍ ଇଣ୍ଡିଆ (ଭିଏସ୍ଆଇ) ମଧ୍ୟରେ ଶନିବାର ସେମିକଣ୍ଡକ୍ଟର୍ସ ଏବଂ ଭିଏଲ୍ଏସ୍ଆଇ ଡିଜାଇନ୍ କ୍ଷେତ୍ରରେ ଗବେଷଣା, ଷ୍ଟାର୍ଟଅପ୍ସ, ପ୍ରତିଭା ଓ ନିଯୁକ୍ତି ନିମନ୍ତେ ସୁଯୋଗ ବିକଶିତ କରିବା ପାଇଁ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।
ଭିଏସ୍ଆଇ ପକ୍ଷରୁ ସାରା ବିଶ୍ୱରେ ସେମିକଣ୍ଡକ୍ଟର ଯୋଗାଣ ଚେନ୍ କାର୍ଯ୍ୟ କରୁଥିବା ବେଳେ ଏହା ନିକଟରେ ୫୦୦୦ ରୁ ଊର୍ଦ୍ଧ୍ୱ ସେମିକଣ୍ଡକ୍ଟର ବୃତିଧାରୀ ଓ ସ୍ୱେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି ।
ଏହି ବୁଝାମଣା ଦ୍ୱାରା ସୋଆ ବର୍ତମାନ ଓ ଭବିଷ୍ୟତରେ ଭାରତର ସେମିକଣ୍ଡକ୍ଟର ଶିଳ୍ପକୁ ବୃଦ୍ଧି କରିବା ନିମନ୍ତେ ଉଦ୍ଭାବନ ଗବେଷଣା ଓ ପ୍ରତିଭାକୁ ବଳିଷ୍ଠ କରିପାରିବ ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଭିଏସ୍ଆଇର ସଭାପତି ଡକ୍ଟର ସତ୍ୟ ଗୁପ୍ତା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।
ବୁଝାମଣା ଅନୁଯାୟୀ ସୋଆ ଏବଂ ଭିଏସ୍ଆଇ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରକୁ ନେଇ ମିଳିତ ଭାବେ କାର୍ଯ୍ୟ କରିବେ । ସେହିପରି ଭିଏଲ୍ଏସ୍ଆଇ ଡିଜାଇନ୍ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରର ବର୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିଏସ୍ଆଇ ଏବଂ ସୋଆ ମିଳିତ ଭାବେ ଗବେଷଣା କରିବେ ।
ଏହି ଦୁଇ ଅନୁଷ୍ଠାନ ମିଳିତ ଭାବେ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିଙ୍କ ପାଇଁ ଆୟୋଜନ କରିବେ । ନିଜର ଇଣ୍ଡଷ୍ଟ୍ରି ଭଲ୍ୟୁଂଟର ନେଟୱାର୍କ ମାଧ୍ୟମରେ ଭିଏସ୍ଆଇ ବିଶେଷଜ୍ଞଙ୍କ ଦ୍ୱାରା ବକ୍ତୃତା, ପ୍ରୋଜେକ୍ଟ ଆୟୋଜନ କରିବା ସହ ସୋଆର ଅଣ୍ଡରଗ୍ରାଜୁଏଟ୍, ପୋଷ୍ଟଗ୍ରାଜୁଏଟ୍ ଏବଂ ଡକ୍ଟରେଟ୍ କ୍ଷେତ୍ରର ଛାତ୍ରଛାତ୍ରୀଙ୍କର ଇନ୍ଟର୍ଣ୍ଣସିପ୍ ସୁଯୋଗ ସୃଷ୍ଟି ଓ ପରାମର୍ଶ ଦ୍ୱାରା ସାହାଯ୍ୟ ପ୍ରଦାନ କରିବ ।
ଦୁଇ ଅନୁଷ୍ଠାନ ଭିଏଲ୍ଏସ୍ଆଇ ଡିଜାଇନ୍ ଏବଂ ସେମିକଣ୍ଡକ୍ଟର ପାଠ୍ୟକ୍ରମକୁ ଅଣ୍ଡରଗ୍ରାଜୁଏଟ୍, ପୋଷ୍ଟଗ୍ରାଜୁଏଟ୍ ଏବଂ ଡକ୍ଟରେଟ୍ କ୍ଷେତ୍ରରେ ସାମିଲ କରିବା ପାଇଁ ମଧ୍ୟ ମିଳିତ ଭାବେ କାର୍ଯ୍ୟ କରିବେ । ଏଥିରେ ଭିଏସ୍ଆଇ ସାହାଯ୍ୟ କରିବ ।
ଏହାଛଡ଼ା ଭିଏସ୍ଆଇ ଏବଂ ସୋଆ ହାଇସ୍କୁଲ୍ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନିଯୁକ୍ତି ସୁଯୋଗ ତଥା ଏହି ବିଷୟକୁ ନିଜର ଇଞ୍ଜିନିୟରିଂ ବ୍ରାଂଚରେ ସାମିଲ କରାଇବା ନିମନ୍ତେ ସଚେତନତା ସୃଷ୍ଟି କରିବେ ।