ବୀର ଯବାନମାନଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳିଲା ୟୁଥ ଫର ସେବା

ଭୁବନେଶ୍ବର (୧୯.୦୮.୨୪, ସୋମବାର): ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର । ଏହି ଶୁଭ ଅବସରରେ ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ମାଗିବା ସହ ମଙ୍ଗଳ କାମନା କରିଥାଏ ଭଉଣୀ । ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିଲେ ଭଉଣୀର ସବୁ ଦୁଃଖ ବିପଦରେ ସାହା ହେବ ବୋଲି ଆଶା ରଖିଥାଏ । ଭାଇ ମଧ୍ୟ ସେହି ଦିନ ପ୍ରତିଜ୍ଞାବଦ୍ଧ ହୁଏ, ଭଉଣୀକୁ ସୁରକ୍ଷା ଦେବା ପାଇଁ କିନ୍ତୁ ବୀର ଯବାନମାନେ ଆମକୁ ସୁରକ୍ଷା ଦେବାକୁ ଯାଇ ଏହି ହସଖୁସି ଓ ଆନନ୍ଦ ଉଲ୍ଲାସର ପର୍ବରେ ନିଜକୁ ସାମିଲ କରିପାରନ୍ତିନି । ହାତରେ ରାକ୍ଷୀ ବାନ୍ଧିବା ପାଇଁ ନିଜ ଭଉଣୀଙ୍କ ପାଖରେ ପହଞ୍ଚି ପାରନ୍ତିନି । ତେବେ ଏହି ଯବାନ ମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଜାତୀୟ ସ୍ତରର ସଂଗଠନ ୟୁଥ ଫର ସେବାର ସ୍ଵେଚ୍ଛାସେବୀ ମାନେ ଭୁବନେଶ୍ବର ସ୍ଥିତ ସିଆରପିଏଫ କ୍ୟାମ୍ପସରେ ଥିବା ଯବାନଙ୍କୁ ରାକ୍ଷୀ ବାନ୍ଧି ସେମାନଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଯବାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ସଂଗଠନର ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ଗତ ୧୨ ତାରିଖରେ ସିଡ ବା ମଞ୍ଜିକୁ ନେଇ ରୋପଣଯୋଗ୍ୟ ରାକ୍ଷୀ ପ୍ରସ୍ତୁତ କରଯାଇଥିଲା । ଏହି ରାକ୍ଷୀକୁ ଫୋପାଡ଼ିଲେ ସେଥିରେ ଗଛ ହେବ । ସ୍ନେହ, ବିଶ୍ବାସ ଓ ସୁରକ୍ଷାର ପ୍ରତୀକ ରାକ୍ଷୀ ମାଧ୍ଯମରେ ସବୁଜ ବଳୟ ସୃଷ୍ଟି କରିବା ହେଉଛି ସିଡ ରାକ୍ଷୀ ପ୍ରସ୍ତୁତ କରିବାର ମୂଳ ଲକ୍ଷ୍ୟ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଏହି କାର୍ଯ୍ୟକ୍ରମ କରାଯାଏ ।

ରାକ୍ଷୀ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଖି ଯବାନଙ୍କ ମଧ୍ୟରେ ବହୁ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ଆଜି ଯବାନଙ୍କୁ ଆଳତି କରି ରାକ୍ଷୀ ବାନ୍ଧିବା ପରେ ମିଠା ଖୁଆଇ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି ସଂଗଠନର ସ୍ଵେଚ୍ଛାସେବୀ। ଉକ୍ତ କାର୍ଯ୍ୟକ୍ରମକୁ ଜ୍ଞାନ ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ପାଖାପାଖି ୨୦ଜଣ ସ୍ଵେଚ୍ଛାସେବୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.