ଆସନ୍ତାକାଲି ଭାରତ ବନ୍ଦ: ସରକାରୀ କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ଅଫିସ୍ ଆସିବାକୁ ନିର୍ଦ୍ଦେଶ

ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆଜି ଗୃହ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ସଚିବମାନଙ୍କୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ସମେତ ବିଭାଗୀୟ ମୁଖ୍ୟ ଦପ୍ତର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଛି ।

ଭୁବନେଶ୍ୱର: ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଆସନ୍ତାକାଲି ୧୨ଘଂଟିଆ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସଚିବାଳୟ(ଲୋକସେବା ଭବନ)ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯିବା ସହ ମୁଖ୍ୟ ଫାଟକ ୧୦ଟା ୧୫ମିନିଟରେ ବନ୍ଦ ହୋଇଯିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆଜି ଗୃହ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ସଚିବମାନଙ୍କୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ସମେତ ବିଭାଗୀୟ ମୁଖ୍ୟ ଦପ୍ତରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିବାରୁ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କୁ ଅତିବେଶୀରେ ସକାଳ ସାଢ଼େ ୯ଟା ସୁଦ୍ଧା ପହଂଚିବାକୁ ପରାମର୍ଶ ଦିଆଯାଇଛି । ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି ଏବଂ ସମସ୍ତ କର୍ମଚାରୀଙ୍କୁ ଅବଗତ ପାଇଁ ମଧ୍ୟ ଗୃହ ବିଭାଗ କହିଛି ।

ସେହିପରି ଲୋକସେବା ଭବନର ମୁଖ୍ୟ ଗେଟ୍ ସକାଳ ୧୦ଟା ୧୫ମିନିଟରେ ବନ୍ଦ ହୋଇଯିବ । ଏହି ଅବଧି ମଧ୍ୟରେ ପଛଗେଟ୍ ଦେଇ ଯାତାୟତ କରିହେବ । କର୍ମଚାରୀ ଓ ଭିଜିଟରଙ୍କ ପାସ୍ ଓ ଆଇକାର୍ଡକୁ କଡ଼ାକଡ଼ି ଯାଂଚ କରାଯିବ । କାରପାସ୍ ଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କାରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଆସନ୍ତାକାଲି ବନ୍ଦକୁ ଦୃଷ୍ଟିରେ ରଖି ସାଧାରଣ ଭିଜିଟରଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଯଦି ଅତି ଜରୁରୀ ଥିବ ସମ୍ପୃକ୍ତ ବିଭାଗର ସୁପାରିଶ୍ ଆଧାରରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଏହି ଅସ୍ଥାୟୀ ପାସ୍ ଜାରି କରିବେ । ମାତ୍ର ସମ୍ପୃକ୍ତ ଭିଜିଟରଙ୍କୁ ନିଜର କାମ ତୁରନ୍ତ ଶେଷ କରି ଫେରିବାକୁ ପଡ଼ିବ ବୋଲି ଚିଠିରେ ଉଲ୍ଲେଖ ରହିଛି । କର୍ମଚାରୀମାନେ ଅଯଥାରେ ବାହାରେ ବୁଲାବୁଲି ନକରି ନିଜ ସିଟରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ‘ଭାରତ ବନ୍ଦ’ ପାଇଁ ବିଭିନ୍ନ ଦଳିତ ସଂଗଠନ ଡାକରା ଦେଇଛି ।

Leave A Reply

Your email address will not be published.