ପଡିଆ ବ୍ଲକ ଗସ୍ତ କରି ବିଭିନ୍ନ ବିଷୟରେ ସମୀକ୍ଷା କଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗସ୍ତ କରି ବିଭିନ୍ନ ବିଷୟରେ ସମୀକ୍ଷା କଲେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ । ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପଡିଆ ବ୍ଲକକୁ ଗସ୍ତ କରି ସେଠାରେ ଥିବା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ପରେ ସେ ପଡିଆ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରି ସେଠାରେ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରି ଶିକ୍ଷା ଦାନ ସଠିକ ଭାବେ ହେଉଛି କି ନାହିଁ ଓ ଅନ୍ୟାନ୍ୟ ସୁବିଧା ମିଳୁଛି କି ନାହିଁ ସେନେଇ ତଦାରଖ କରିଥିଲେ । ବିଦ୍ୟାଳୟର ଶିକ୍ଷକ ବୃନ୍ଦଙ୍କ ସହ ମଧ୍ୟ ବିଦ୍ୟାଳୟର ସମସ୍ୟା ଓ ଆବଶ୍ୟକତାକୁ ନେଇ ଆଲୋଚନା କରିଥିଲେ । ପରେ ପରେ ସେ ମାଟେରୁ ଆଶ୍ରମ ବିଦ୍ୟାଳୟକୁ ଗସ୍ତ କରି ସେଠାରେ ମଧ୍ୟ ସମୀକ୍ଷା ସହ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ଓ ବିଭିନ୍ନ ସମସ୍ୟା ସଂପର୍କରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରି, ପଡିଆ ବିଡିଓ ଅଭିମନ୍ୟୁ କବି ଶତପଥୀ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.