ବରିଷ୍ଠ ଆଇଏସ ଅଫିସରଙ୍କ ଭାଇ ଓ ନିଜକୁ ଓଏଏସ ଅଫିସର ପରିଚୟ ଦେଇ ଚାକିରୀ ଯୋଗାଇଦେବା, ଇ-ସ୍କୁଟି ଯୋଗାଇବା ନାମରେ ୪୪ ଲକ୍ଷ ଟଙ୍କା ଠକାଇ, ଜଣେ ଯୁବକ ଗିରଫ

ଦୁଇଜଣ ବିଜେଡି ଦଳର ଲୋକ ପ୍ରତିନିଧି ଫେରାର
ମାଲକାନଗିରି, ୨୬/୮: ନିଜକୁ ବରିଷ୍ଠ ଆଇଏସ ଅଫିସରଙ୍କ ଭାଇ ଓ ନିଜକୁ ଓଏଏସ ଅଫିସର ବୋଲି ପରିଚୟ ଦେଇ ଚାକିରୀ କରାଇଦେବା ଓ ଇ-ସ୍କୁଟି ଟେଣ୍ଡର ପାସ କରିଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଯୁବ କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ସହଯୋଗୀ ବିଜେଡି ଦଳର ଦୁଇ ଲୋକ ପ୍ରତିନିଧି ଫେରାର ହୋଇ ଯାଇଛନ୍ତି। ଏମିତି ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଘଟିଛି। ନିରୀହ ଆଦିବାସୀ ପିଲାଙ୍କୁ ଚାକିରି ଦେବା ନାଁରେ ଲକ୍ଷା ଧିକ ଟଙ୍କା ଚଳୁ କରିଦେଲେ ଜଣେ ନକଲି ଓଏଏସ ଅଧିକାରୀ ଓ ସ୍ଥାନୀୟ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ଇ ବିଜେଡି ନେତା। ନିଜକୁ ବରିଷ୍ଠ ଆଇଏଏସ ଅଫିସରଙ୍କ ଭାଇ ଓ ନିଜକୁ ଜଣେ ଓଏଏସ ଅଫିସର ପରିଚୟ ଦେଇ ପିଲାଙ୍କୁ ଚାକିରି କରାଇବାର ପ୍ରୋଲଭନ ଦେଖାଉଥିଲେ ଏବଂ ମିଶନ ଶକ୍ତି ମହିଳାଙ୍କୁ ଇ-ସ୍କୁଟି ଯୋଗାଣର ଟେଣ୍ଡର ପାସ କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇ ଥିଲେ କେନ୍ଦ୍ରାପଡାର ରମେଶ ଚନ୍ଦ୍ର ରାଉତ ନାମକ ଯୁବକ। ଏହା ସହ ବିଜେଡିର ମାଥିଲି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରତିନିଧି ଜୀବନ ସାହୁ ସାମିଲ ଥିବାର କହିଛନ୍ତି ଠକାମିର ଶିକାର ହୋଇଥିବା ବ୍ୟକ୍ତି ମାନେ। ଏହା ଫୋନ ପେ’ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ନେଣଦେଣ ହୋଇଛି ଜିଲ୍ଲା ପରିଷଦ ସଦସ୍ୟାଙ୍କ ଜରିଆରେ। ମାଥିଲି ଥାନାରେ ଅଭିଯୋଗ ଅନୁଯାଇ ଜଣାପଡିଛି ଯେ ମାଥିଲି ବ୍ଲକର ନନ୍ଦ କିଶୋର ପୁହାଣ ତାଙ୍କ ପୁଅକୁ ଯୋଗାଣ ଅଧିକାରୀ ଚାକିରି କରାଇ ଦେବା ଲାଗି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ନକଲି ଓଏଏସ ଅଫିସର ରମେଶ ଚନ୍ଦ୍ର ରାଉତଙ୍କ ଆକାଉଣ୍ଟକୁ ୭ ଲକ୍ଷ ୩୦ ହଜାର ଟଙ୍କା ପଠାଇଥିଲେ, ମାଥିଲି ବ୍ଲକର ବ୍ୟବସାୟୀ କାର୍ତିକ ରାୟଙ୍କୁ ମିଶନ ଶକ୍ତି ମହିଳା ଓ କଲେଜ ଛାତ୍ରୀଙ୍କୁ ଇ-ସ୍କୁଟି ଯୋଗାଇବା ଟେଣ୍ଡର କରାଇ ଦେବା କଥା କହି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତାଙ୍କ ମାଧ୍ୟମରେ ରମେଶ ଚନ୍ଦ୍ର ରାଉତଙ୍କ ଆକାଉଣ୍ଟରେ ୨୬ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି । ସେହିପରି ମାଧବ ହରେଶ କୁମାରଙ୍କୁ ପଂଚାୟତ ନିର୍ବାହୀ ଅଧିକାରୀ ଚାକିରି କରାଇ ଦେବା ଲାଗି ୧୦ ଲକ୍ଷ ୧୦ ହଜାର ଟଙ୍କା ମାଥିଲିର ବିଜେଡି ନେତା ଜୀବନ ସାହୁଙ୍କ ଜରିଆରେ ରମେଶ ନେଇ ଥିବାର ମାଥିଲି ଥାନାରେ ଅଭିଯୋଗ ହୋଇଥିଲା । ମାଲକାନଗିରି ଏସପି ନୀତେଶ ୱାଧାନୀଙ୍କ ନିର୍ଦ୍ଦେଶକ୍ରମେ ମାଥିଲି ଥାନା ଆଇଆଇସି ଦେବଦତ୍ତ ମଲିକଙ୍କ ନେତୃତ୍ୱ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରା ଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଠକ ୪୨୦ ନକଲି ଓଏଏସ ଅଫିସର ରମେଶ ରାଉତକୁ ମାଥିଲି ପୁଲିସ ଟିମ ଭୁବନେଶ୍ୱର ବାଳକଟିରୁ ଗିରଫ କରି ମାଥିଲି ଥାନାକୁ ଆଣି ପଚରାଉଚରା କରି ତାଙ୍କ ସହିତ ମାଥିଲି ଅଞ୍ଚଳର ଦୁଇଜଣ ବିଜେଡି ନେତାଙ୍କ ସମ୍ପୃକ୍ତି ଅଛି ବୋଲି ଜାଣି ପାରିଥିଲେ। ରମେଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି। ଫେରାର ହୋଇଥିବା ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ବିଜେଡି ନେତା ଜୀବନ ସାହୁଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲିକ ସୂଚନା ଦେଇଛନ୍ତି। ଏହି ଘଟଣା ଏବେ ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.