ଚିତ୍ରକୋଣ୍ଡା, ୦୧/୦୯/୨୪: ଖଟିଆରେ ବୁହାହେଲା ଗର୍ଭବତୀ ମହିଳା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ବଡ଼ପଦର ଗ୍ରାମ ପାଞ୍ଚଯାତର ମେଟାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର କରୁଣା କାହାଣୀ। ରାସ୍ତା ଖରାପ ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଦୀର୍ଘ ଦୁଇ କିଲୋମିଟର ଦୂର ଭାରରେ ବୁହାହେଲେ ଗର୍ଭବତୀ ମହିଳା । ଏହି ଗ୍ରାମରେ ବାସ କରନ୍ତି ୫୫ରୁ ଉର୍ଦ୍ଧ ପରିବାର । ସେଇ ଗ୍ରାମର ବାଲି ଖିଲଙ୍କ ସ୍ତ୍ରୀ ଲକ୍ଷ୍ମୀ ଖିଲ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସ୍ୱାମୀ ବାଲି ଖିଲ ପଣସଗନ୍ଧି ଗ୍ରାମ ଆଶା ଦିଦି ପଦ୍ମା କିରସାନୀଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଗାଁକୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଦୁଇ କିଲୋମିଟର ପୂର୍ଵ ସଙ୍ଗମଗୁଡା ଗ୍ରାମ ଛକ ଠାରେ ଅଟକି ଯାଇଥିଲା । ଆମ୍ବୁଲାନ୍ସ ଗ୍ରାମକୁ ନଆସିବାରୁ, ପରିବାର ବର୍ଗ ଓ ଆଶା ଦିଦି ଗ୍ରାମବାସୀଙ୍କ ସହାୟତାରେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ଲଷ୍ମୀ ଖିଲଙ୍କୁ ଦୀର୍ଘ ଦୁଇ କିଲୋମିଟର ଦୂର କାଦୁଅ ପଚ ପଚ ଖାଲ ଢ଼େପ ରାସ୍ତାରେ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଲଷ୍ମୀଙ୍କୁ ଜାନବାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ସେଠାରେ ଲଷ୍ମୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟେ ମାଆ ଓ ନବଜାତ ଶିଶୁ ସୁସ୍ଥ ଥିବା ପରିବାର ବର୍ଗ କହିଛନ୍ତି।
