xmas

ମାଲକାନଗିରି ଜିଲ୍ଲାରେ ନବରଙ୍ଗପୁର ସାଂସଦଙ୍କ ସମୀକ୍ଷା ବୈଠକ

ମାଲକାନଗିରି, ୩/୦୯/୨୪: ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ବନଖଣ୍ଡ ଅଧିକାରୀ, ପ୍ରତାପ କଟ୍ଟାପଲ୍ଲୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ଓ ରେଳବାଇ ଡେପୁଟି ମ୍ୟାନେଜର, ବାଉରୀବନ୍ଧୁ ମହାରଣା ଉପସ୍ଥିତ ଥିଲେ। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଆତ୍ମନିର୍ଭର ଭାରତ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଶିକ୍ଷା ଓ ସ୍ଵାସ୍ଥ୍ୟ ଭଳି ଅନେକ କ୍ଷେତ୍ରରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀ ମାଝୀ ଗୁରୁତ୍ଵାରୋପ କରିଛନ୍ତି। ଅନ୍ତତଃ ଦୁଇ ଦିନ ବ୍ୟବଧାନରେ ମନରେଗା ଶ୍ରମିକଙ୍କୁ ମଜୁରୀ ଦେବାର ବ୍ୟବସ୍ଥା ହେଲେ ଜିଲ୍ଲାର ଦାଦନ ହାର କମିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ବୈଠକରେ ପ୍ରତି ଘରକୁ ବିଜୁଳି ସଂଯୋଗୀକରଣ, ପାନୀୟ ଜଳ, କୃଷି, ଜଳ ସେଚନ, ପଶୁ ପାଳନ ସହ ଦୁଗ୍ଧ ଓ ମାଛ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଂଚଳର ସ୍ଵାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ରେଞ୍ଜ ଅନୁସାରେ ଜିଲ୍ଲାର ଜଙ୍ଗଲ ଗୁଡ଼ିକର ସର୍ଭେ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଜନ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ସୁକନ୍ୟା, ଅଟଳ ପେନସନ ଓ ମୁଦ୍ରା ଯୋଜନା ବିଷୟରେ ଆଲୋଚନା କରାଯାଇ କିଭଳି ଏହା ବିଷୟରେ ସମସ୍ତେ ଅବଗତ ହୋଇ ଏହାର ଲାଭ ଉଠାଇ ପାରିବେ ସେ ନେଇ ଆଲୋଚନା କରାଯାଇଛି। ଜିଲ୍ଲାରେ ଘଟୁଥିବା ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁ ହାର କିଭଳି କମ୍ ହୋଇ ପାରିବ ସେଥି ନିମନ୍ତେ ମଧ୍ୟ ଆଲୋଚନା କରାଯାଇଛି। ସାଂସଦଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଓ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ପହଞ୍ଚାଇ ନିମନ୍ତେ ସମସ୍ତ ବିଭାଗ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି। ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.