ମାଲକାନଗିରି ଜିଲ୍ଲା ଲଗାଣ ବର୍ଷା ସ୍ଥିତି ନେଇ ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି

ପୋଟେରୁ, ଏମ ଭି ୭ କ୍ଷୟକ୍ଷତି ଅଞ୍ଚଳ କୁ ଗସ୍ତ କରି କଲେ ସମୀକ୍ଷା

ମାଲକାନଗିରି, ୧୧/୦୯/୨୪: ୭୨ ଘଣ୍ଟା ପରେ ଆଜି ମାଲକାନଗିରି ଜିଲ୍ଲା ସ୍ଵାଭାବିକ ଅବସ୍ଥାକୁ ଫେରିଛି । ଯାତାୟାତ ସ୍ଵାଭାବିକ ଅବସ୍ଥାକୁ ଫେରିଛି। ଏହାର ସମୀକ୍ଷା ପାଇଁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଶ୍ରୀମତୀ ରୂପା ରୋସନ୍ ସାହୁ ଆଜି ମାଲକାନଗିରି ଗସ୍ତରେ ଆସି ପହଂଚିଛନ୍ତି । ଲଗାଣ ବର୍ଷା ଦ୍ଵାରା କ୍ଷତି ଗ୍ରସ୍ତ ଅଞ୍ଚଳ ଏମ ଭି ୭ ଗ୍ରାମ ମୁଖ୍ୟ ରାସ୍ତାରେ ଥିବା ବ୍ରିଜର କ୍ଷୟ କ୍ଷତିର ସ୍ଥିତି ପରଖିଥିଲେ ଓ ସମୀକ୍ଷା କରି ସେଠାରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନୱାଡି କର୍ମୀଙ୍କ ସହ ଆଲୋଚନା କରିଥିଲେ। ପିଲାଙ୍କ ଉପସ୍ଥିତି ଜାଣିବା ସହ କେନ୍ଦ୍ରରେ ରନ୍ଧା ଖାଦ୍ୟ ସଂପର୍କରେ ପଚାରି ବୁଝିଥିଲେ ଓ ଉକ୍ତ କେନ୍ଦ୍ରରେ ବିଭିନ୍ନ ପନିପରିବା ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ ପରେ ସେଠାରୁ ବାହାରି ଏମ ଭି ୭ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ ପୋଟେରୁ ଗସ୍ତ କରି ବ୍ରିଜର କ୍ଷୟକ୍ଷତି ଓ ସ୍ଥିତି ପରଖିଥିଲେ । ଏମ ଭି ୧୯ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର, ନିକଟରେ ଥିବା ସେବା କେନ୍ଦ୍ରରେ ସୁଭଦ୍ରା ଯୋଜନା ମହିଳା ମାନେ କିପରି ସୁବିଧାରେ ନାମ ପଞ୍ଜିକରଣ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ କୃଷିୱାଡ଼ା ଗ୍ରାମର ଆଦିବାସୀ ମହିଳା ମାନଙ୍କ ସହ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ପାନୀୟ ଜଳ, ମମତା ଯୋଜନା ସଂପର୍କ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ବିର ସେନ ପ୍ରଧାନ, ବିଡିଓ ପ୍ରଭାତୀ ଝୋଡ଼ିଆ, ତହସିଲଦାର, ଡି ଏସ ଦବ୍ଲୁ ଓ ପ୍ରମୁଖ ଉପସ୍ଥିତ ରହିଥିଲେ।

ପୂର୍ବରୁ ଲଗାଣ ବର୍ଷା ନେଇ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ମାଲକାନଗିରି ଗସ୍ତ କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପ୍ରମୁଖ ଶାସନ ସଚିବ, ବିଷ୍ଣୁପଦ ସେଠୀ, ଅଗ୍ନିଶମ ବିଭାଗ ଡିଜି, ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ଓ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି, ଚରଣ ସିଂ ମୀନା ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ପରିସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲାପାଳ, ଆଶିଷ ଈଶ୍ୱର ପାଟିଲ ଓ ଆରକ୍ଷୀ ଅଧିକ୍ଷକ, ନୀତେଶ ୱାଧୱାନୀ ଲଗାଣ ବର୍ଷାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ ପ୍ରତିନିଧି ଦଳଙ୍କୁ ଅବଗତ କରାଇଥିଲେ।ପ୍ରାଥମିକତା ଭିତ୍ତିରେ ବିଜୁଳି ସଂଯୋଗିକରଣ, ପାନୀୟ ଜଳ ଯୋଗାଣ ଓ ପ୍ରାଣୀ ସମ୍ପଦଙ୍କ ନିମନ୍ତେ ପଦକ୍ଷେପ ନେବା ପାଇଁ ଶ୍ରୀ ସେଠୀ ଗୁରୁତ୍ଵାରୋପ କରିଛନ୍ତି। ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପା ମୂଳକ ସହାୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ। ସେହିପରି ଜିଲ୍ଲାରେ ସଂପୂର୍ଣ୍ଣ ସ୍ଥିତି ସ୍ଵାଭାବିକ ହେବା ପର୍ଯ୍ୟନ୍ତ ଓଡରାଫ୍ ଦଳ ସେବା ପ୍ରଦାନ କରିବେ ବୋଲି ଅଗ୍ନିଶମ ଡିଜି ସୂଚନା ଦେଇଥିଲେ । ଏହି ସମ୍ବେଦନଶୀଳ ସ୍ଥିତି ନେଇ ରାଜ୍ୟ ସରକାର ଅନବରତ ଦୃଷ୍ଟି ରଖିଛନ୍ତି ବୋଲି ଡ଼ଃ ଷଡ଼ଙ୍ଗୀ ପ୍ରକାଶ କରିଥିଲେ। ଏହି ପ୍ରାକୃତିକ ବିପର୍ଯ୍ୟୟରେ ନିଷ୍ଠାପର ଭାବେ ସେବା ପ୍ରଦାନ କରିଥିବା ଅଗ୍ନିଶମ କର୍ମଚାରୀଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ। ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅଧିକ ଆବଶ୍ୟକୀୟ ମାନବ ସମ୍ବଳ ଓ ଯନ୍ତ୍ରପାତି ଯୋଗାଇ ଦିଆଯିବ।

ସୂଚନା ଥାଉ କି ୪୪୩ କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ୍ ଯୋଗାଇ ଦିଆଯାଇଛି। ସେହିପରି ୫୪ ଜଣ ଗର୍ଭବତୀ ମାଆ ମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବାହିନୀ ଦ୍ବାରା ୨୭ ଜଣଙ୍କୁ ଉଦ୍ଧାର ସହିତ ୧୭୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ୬ଟି ଓଡ୍ରାଫ ଦଳକୁ ମୁତୟନ କରାଯାଇଛି। ସେହିପରି ୫ଟି ଅଗ୍ନିଶମ ଦଳ ଉଦ୍ଧାର କାର୍ଯ୍ୟରେ ନ୍ୟସ୍ତ ଥିବା ବେଳେ ୩ଟି ଦଳ ରାସ୍ତା ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ସମ୍ବେଦନଶୀଳ ପରିସ୍ଥିତିରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ମୁକାବିଲା ନିମନ୍ତେ ରାଜ୍ୟ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନସାଧାରଣଙ୍କ ସହଯୋଗ ନିମନ୍ତେ ପ୍ରଶଂସା କରିଥିଲେ।

Leave A Reply

Your email address will not be published.