ମାଲକାନଗିରି ଜିଲ୍ଲାରେ ବିକାଶ ମେଳା ଆୟୋଜନ ନେଇ ପ୍ରସ୍ତୁତି ବୈଠକ

ମାଲକାନଗିରି, ୧୭/୦୯/୨୪: ମାଲକାନଗିରି ସଦର ମହକୁମା ଠାରେ ତିନିଦିନ ନିମନ୍ତେ ବିକାଶ ମେଳା ଅନୁଷ୍ଠିତ ହେବା ନେଇ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ ନାରାୟଣ ରଥ, ଏପିଡି, ଆଡ଼ମିନ୍, ରାମଚନ୍ଦ୍ର ଖଡିଆ ଓ ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ ମଞ୍ଚାସୀନ ଥିଲେ। ରାଜ୍ୟ ସରକାରଙ୍କ ଫଳପ୍ରସୂ ପଦକ୍ଷେପ ଏବଂ ପ୍ରଣୀତ ଯୋଜନା ଗୁଡିକର ଉଦ୍ଦେଶ୍ୟ ଓ କାର୍ଯ୍ୟାନ୍ବୟନ, ବହୁବିଧ କଲ୍ୟାଣକାରୀ ଦିଗ ଗୁଡିକ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଓ ରାଜ୍ୟ ସରକାରଙ୍କୁ ଲୋକଙ୍କର ନିକଟତର କରାଇବା ହେଉଛି ଏହି ମେଳାର ପ୍ରକୃତ ଉଦ୍ଦେଶ୍ୟ । ଓରମାସ୍ ଦ୍ବାରା ପରିଚାଳିତ ଏହି ବିକାଶ ମେଳା ଡିଏନକେ ଖେଳ ପଡିଆ ଠାରେ ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ, ନିତ୍ୟାନନ୍ଦ ଗଣ୍ଡ ୨୨ ତାରିଖ ଦିନ ଏହାର ଶୁଭଉଦ୍ଘାଟନ କରିବା ସହିତ ଜନ ସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ମେଳାରେ ଜିଲ୍ଲାର ସମସ୍ତ ବ୍ଲକର ଲୋକକଳା, ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଆଦି ସହିତ କୃଷି ବିଭାଗ, ପର୍ଯ୍ୟଟନ ବିଭାଗ, ମିଶନ୍ ଶକ୍ତି ବିଭାଗର ଫଟୋ ଏବଂ ଭିଡିଓ ପ୍ରଦର୍ଶିତ ହେବ । ଓରମାସ୍ ଦ୍ବାରା ସମସ୍ତ ମେଳା କାର୍ଯ୍ୟ ପରିଚାଳିତ ହେବ । ଏହି ବିକାଶ ମେଳା ପାଇଁ ଅନ୍ୟୁନ ୨୫ ଗୋଟି ଷ୍ଟଲ ନିର୍ମାଣ କରିବା ଯୋଜନା ରହିଛି । ବିକାଶ ମେଳାରେ ଅଂଶ ଗ୍ରହଣକାରୀଙ୍କ ଯାତାୟାତ ଓ ସୁରକ୍ଷିତ ରହଣି ବ୍ୟବସ୍ଥା,ଅଗ୍ନି ନିର୍ବାପକ, ଆଇନ ଶୃଙ୍ଖଳା, ପରିମଳ ବ୍ୟବସ୍ଥା ଆନୁସଙ୍ଗୀକ କାର୍ଯ୍ୟ ଓ ଆଶୁ ଚିକିତ୍ସାର ବ୍ୟବସ୍ଥା ନେଇ ଆଲୋଚନା ହୋଇଯାଇଛି । ଜନ ସାଧାରଣଙ୍କ ସଚେତନତା ସୃଷ୍ଟି ନିମନ୍ତେ ସରକାରଙ୍କ ଦ୍ବାରା ପ୍ରଣୀତ ପ୍ରମୁଖ ଯୋଜନା ପର୍ଯ୍ୟବସିତ ଦୃଶ୍ୟ ଶ୍ରାବ୍ୟ ଚିତ୍ର ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯିବ । ପ୍ରତିଦିନ ଲୋକକଳା ଓ ବିଷୟ ବସ୍ତୁ ଭିତ୍ତିକ ଉତ୍କୃଷ୍ଟମାନର ସାଂସ୍କୃତିକ ବିଚିତ୍ରା ଜିଲ୍ଲା ସଂସ୍କୃତି ବିଭାଗ ଦ୍ବାରା ପରିବେଷଣ କରାଯିବ । ଏହି ପ୍ରଦର୍ଶନୀ ମେଳା ଅନ୍ୟୁନ ତିନି ଦିନ ଧରି ଚାଲିବ ଏବଂ ଚାହିଦା ଅନୁଯାୟୀ ପଞ୍ଚାୟତିରାଜ ବିଭାଗ, ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଏହାର ଅବଧି ବୃଦ୍ଧି ବ୍ୟବସ୍ଥା କରାଯିବ । ଏହି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.