ବଢ଼ିଲା ପୋଲିସ ଡିଜିଙ୍କ କାର୍ଯ୍ୟକାଳ, ୨୦୨୬ ପର୍ଯ୍ୟନ୍ତ ବଢ଼ାଇଲେ ରାଜ୍ୟ ସରକାର

୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳକୁ ବଢ଼ାଇଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ୱର: ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଲା । ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବା ନେଇ ତାଙ୍କ କାର୍ଯ୍ୟକାଳ ବଢ଼ାଯାଇଛି । ସୂଚନା ଅନୁସାରେ ଅଗଷ୍ଟ ୧୬ରେ ନୂଆ ଡିଜିପି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଆଉ ସେହି ଦିନ ହିଁ ଦାୟିତ୍ୱ ଗ୍ରହଣ କରିଥିଲେ ୱାଇ ବି ଖୁରାନିଆ । ଗତବର୍ଷ ଡିସେମ୍ବର ୩୧ ତାରିଖରୁ କାର୍ଯ୍ୟକାରୀ ଡିଜିପି ଥିବା ଅରୁଣ ଷଡ଼ଙ୍ଗୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ୱାଇ.ବି. ଖୁରାନିଆ ।

ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳକୁ ସର୍ବନିମ୍ନ ୨ବର୍ଷ ଅର୍ଥାତ୍ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୧୯୭୭ ମସିହା ମେ’ ମାସର ନିର୍ଦ୍ଦେଶନାମା ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପୁଲିସ ଡିଜି ଭାବେ ଶ୍ରୀ ଖୁରାନିଆ ଚଳିତବର୍ଷ ଅଗଷ୍ଟ ୧୬ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ବୟସରେ ସରକାର ଚାକିରିରୁ ଅବସର ନେଇଥାନ୍ତେ । ମାତ୍ର ପୁଲିସ ଡିଜି ପଦବୀରେ ତାଙ୍କୁ ସର୍ବନିମ୍ନ ୨ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବାରୁ ସେ ୨୦୨୬ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ।

ହରିୟାଣା ଜନ୍ମିତ ୱାଇ.ବି. ଖୁରାନିଆ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ। ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲା ଭଳି ୫ଟି ପୋଲିସ ଜିଲ୍ଲାର ଏସପି ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ବ୍ରହ୍ମପୁର ଓ ସମ୍ବଲପୁରରେ ଡିଆଇଜି ପରେ ସେହି ସମ୍ବଲପୁରର ଏବଂ ଏସ୍ଏପିର ଆଇଜି ଭାବେ କାର୍ଯ୍ୟ ତୁଲାଇବା ସହ ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସର କମିଶନର ଭାବେ ବି କାର୍ଯ୍ୟ କରିଛନ୍ତି।

ଏଥିସହ ଆଇଜି ଅପରେସନ୍, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ସହ ଭିଜିଲାନ୍ସର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ୨୦୧୮ରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇ ବିଏସ୍ଏଫ୍ ସ୍ପେଶାଲ ଡିଜି ଦାୟିତ୍ବ ବି ତୁଲାଇଛନ୍ତି ଖୁରାନିଆ। କହିବାକୁ ଗଲେ ତାଙ୍କ ପାଖରେ ରହିଛି ଓଡ଼ିଶା ପୋଲିସର ସବୁ ସ୍ତରରେ ସଫଳତାର ସହ ବିଭିନ୍ନ ଦାୟିତ୍ବ ତୁଲାଇବାର ରହିଛି ଲମ୍ବା ଅଭିଜ୍ଞତା।

Leave A Reply

Your email address will not be published.