ସିଟ୍ ୪୦କୁ ଯାତ୍ରୀ ଶହେ, ଅଭିଯୋଗ ପରେ ଏମଭିଆଇ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ପ୍ରତିଶ୍ରୁତି

ମାଲକାନଗିରି, ୨୪।୯: ମାଲକାନଗିରି ଜିଲ୍ଲା ଦେଇ ଯାଉଥିବା ହାଇଦ୍ରାବାଦ ବସ ଗୁଡିକରେ ଦାଦନ ଶ୍ରମିକଙ୍କୁ ଅତି ଦୟନୀୟ ଅବସ୍ଥାରେ ପରିବହନ କରାଯାଉଛି। ପ୍ରତି ଦିନ କଳାହାଣ୍ଡି, ନବରଂଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରୁ ହଜାର ହଜାର ଶ୍ରମିକ କାମ ଧନ୍ଦା ଲାଗି ସୁକୁମା ଦେଇ ହାଇଦ୍ରାବାଦ ବିଭିନ୍ନ ସ୍ଥାନକୁ ଯାଉ ଥିବା ବେଳେ ନିରିହ ଶ୍ରମିକଙ୍କୁ ଭୁଆଁ ବୁଲେଇ ଏମିତି ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରା କରାଯିବାକୁ ବାଧ୍ଯ କରାଯାଉଛି। ରାତିରେ ଚାଲୁ ଥିବା ସ୍ଲିପର ବସର ଦୁଇଟି ସିଟରେ ୨ ଜଣ ଯାତ୍ରୀଙ୍କ ସ୍ଥାନରେ ୮ ଜଣ ଯାତ୍ରୀ ଏବଂ ସିଙ୍ଗଲ ବର୍ଥରେ ପ୍ରାୟ ୫ ଜଣଙ୍କୁ ଗାଇ ଗୋରୁ ପରି ଲଦି ଦିଆଯାଉଛି। ଗାଈ ଗୋରୁ ପରି ଲୋକଙ୍କୁ ଲଦି ଅଣାଯାଉଥିବା ବେଳେ ସିଟ ସରିଯିବା ପରେ ବସ ମଧ୍ୟରେ ଥିବା ସ୍ଥାନରେ ମଧ୍ୟ ମହିଳା, ପିଲା ଛୁଆଙ୍କୁ ସୁଆଇ ଦିଆ ଯାଉଛି। ୪୦ ସିଟ ବିଶିଷ୍ଟ ବସରେ ୧୦୦ରୁ ୧୨୦ ଜଣ ଯାତ୍ରୀଙ୍କୁ ଏମିତି ଅମନୀବୀୟ ଭାବେ ପରିବହନ କରାଯାଉଛି। ଆଉ ଭଡା ମଧ୍ଯ ଟିକଟ ପିଛା ୧୦୦୦ଟଙ୍କା ନିଆଯାଉଥିବା ବେଳେ ଏହା ମଧ୍ୟ ଧାର୍ଯ୍ୟ ଦେୟ ଠାରୁ ଅଧିକ ବୋଲି ଅଭିଯୋଗ ହୋଇଛି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ବେ ମଧ୍ୟ କୌଣସି ସୁଫଳ ମିଳୁନଥିବା ବେଳେ ଲୋକେ ଗାଈ ଗୋରୁ ପରି ଜଣକ ଜଣେ ଲଦି ହୋଇ ଯାଉଥିବା ଦେଖିବାକୁ ମିଳିଛି। ଜିଲ୍ଲା ପରିବହନ ବିଭାଗକୁ ଏନେଇ ପୂର୍ବରୁ ଅନେକ ଥର ଅବଗତ କରାଯାଇଥିଲେ ଅମଧ୍ୟ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଏନେଇ ଆମେ ମାଲକାନଗିରି ପରିବହନ ବିଭାଗର ଏମଭିଆଇଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଏହି ଘଟଣା ପରି ସେ ଅବଗତ ନାହାନ୍ତି। ପରିବହନ ବିଭାଗ ପକ୍ଷରୁ ବାରମ୍ବାର ଯାଞ୍ଚ କରାଯାଉଥିବା ବେଳେ ଏପରି ଚିତ୍ର ସେ କେବେ ଦେଖି ନାହାନ୍ତି। ତେବେ ଏହି ଚିତ୍ର ପ୍ରକୃତରେ କଷ୍ଟଦାୟକ ଏବଂ ଏନେଇ ଆମେ ତ୍ଵରିତ ପଦକ୍ଷେପ ନେଇ କାର୍ଯ୍ୟନୁଷ୍ଠାନ ନେବୁ ବୋଲି ପ୍ରକାଶ କରିଛନ୍ତି। ମାଲକାନଗିରି ହାଇଦ୍ରାବାଦ ଯାଉ ଥିବା ଗୁପ୍ତା ବସ ନଂ ଓଡି ୨୪ ଜେ ୨୪୧୯ ଓ ସଙ୍ଗିତା ବସ ନଂ ଓଡି ୧୦ ଏଚ୍ ୭୬୮୬ରେ ଏପରି ଚିତ୍ର ଦେଖିବାକୁ ମିଳିଥିବା ବେଳେ ଏହିପରି ଓଭର ଲୋଡିଙ୍ଗରେ ଯାତ୍ରା ବେଳେ ଯଦି କୌଣସି ଅଘଟଣ ଘଟେ ସେଥି ପାଇଁ କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ?

Leave A Reply

Your email address will not be published.