ସୋଆ ଇଞ୍ଜିନିୟରିଂ ବି.ଟେକ୍ ଓ ଏମ୍‌.ଟେକ୍ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୮/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ବି.ଟେକ୍ ଓ ଏମ୍‌.ଟେକ୍ ଛାତ୍ରଛାତ୍ରୀମାନଙ୍କୁ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।

ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆଇଟିଇଆରର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗର ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ସମାପ୍ତ କରିଥିବା ବି.ଟେକ୍ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସେହିପରି ଦ୍ୱିତୀୟ ଦିନରେ ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନସ୍ ଆଣ୍ଡ ଇନଫରମେସନ ଟେକ୍‌ନୋଲୋଜି ଏବଂ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗରେ ୨୦୨୪ ଶିକ୍ଷା ବର୍ଷ ନିମନ୍ତେ ବି. ଟେକ୍ ଓ ଏମ୍‌.ଟେକ୍ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।

ଆଇଟିଇଆରର ଗଣିତ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ କମ୍ପ୍ୟୁଟର ଆପ୍ଲିକେସନ୍ (ବିସିଏ ଓ ଏମ୍‌ସିଏ)ରେ ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ସମାପ୍ତ କରିଥିବା ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସ୍ନାତକୋତର ଡିଗ୍ରୀ ପ୍ରଦାନ କରାଯାଇଛି ।

ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସୋଆ ଦେଶର ୧୪ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଥିବା ଦୃଷ୍ଟିରୁ ଏହି ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରୁଥିବା ଛାତ୍ରଛାତ୍ରୀମାନେ ନିଜକୁ ସେହିଭଳି ଢ଼ଙ୍ଗରେ ପ୍ରତିଷ୍ଠିତ କରାଇବା ସହ ଗର୍ବିତ ହେବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ ।

ପ୍ରତିଟି ଛାତ୍ରଛାତ୍ରୀ ଆମ ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ । ନୂତନ ଛାତ୍ରଛାତ୍ରୀ ହୁଅନ୍ତୁ ଅବା ପୁରାତନ ସେମାନେ ସୋଆ ସହିତ ଜଡିତ ହୋଇ ରହିବା ଆବଶ୍ୟକ ବୋଲି କୁଳପତି କହିଥିଲେ ।

ସୋଆ ଗବେଷଣା ଓ ବିକାଶ ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଯେ କୌଣସି ଅନୁଷ୍ଠାନରେ ଗବେଷଣା କାର୍ଯ୍ୟ କରିପାରିବେ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀମାନେ ଯେଉଁ ଶିକ୍ଷା ଲାଭ କରିଛନ୍ତି ତାହାକୁ ସମାଜର ହିତ ସାଧନ ନିମନ୍ତେ ବ୍ୟବହାର କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଆଇଟିଇଆର୍ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରି ଏହାର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଗବେଷଣାକୁ ଅଧିକ ଗୁରୁତ୍ୱ ଦେବା ସହ ୧୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଗବେଷଣା ଉପରେ ଜୋର ଦିଆଯାଉଥିବା କହିଥିଲେ । ତେବେ ଛାତ୍ରଛାତ୍ରୀମାନେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍ ) ପ୍ରଫେସର ଧୀରେନ୍ଦ୍ର ନାଥ ଥାଟୋଇ ଏବଂ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମଧ୍ୟ ଉପସ୍ଥିତ ଥିଲେ ।

ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ସୋଆର କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଉପାଧି ପ୍ରଦାନ କରିଥିଲେ ।

ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଏକ ଗୁୁରୁତ୍ୱପୂର୍ଣ୍ଣ ଦିନ ଅଟେ । ଏହି ଡିଗ୍ରୀ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମ, ନିଷ୍ଠା, ଶୃଙ୍ଖଳା ଓ ସମୟାନୁବର୍ତିତାର ଫଳ ତଥା ଶିକ୍ଷକ ଓ ଅଭିଭାବକଙ୍କର ସହଯୋଗରେ ସମ୍ଭବପର ହୋଇପାରିଛି ବୋଲି ପ୍ରଫେସର ଦାସ କହିଥିଲେ ।

ନିଜର କଠିନ ପରିଶ୍ରମ ଫଳରେ ନିଜର ସ୍ୱପ୍ନକୁ ସାକାର କରିବା ସମ୍ଭବ ହୋଇପାରେ । ସବୁବେଳେ ନିଜ କର୍ମକ୍ଷେତ୍ରରେ ସକାରାତ୍ମକ ମନୋଭାବ ରଖି କାର୍ଯ୍ୟ କଲେ ସବୁ କାର୍ଯ୍ୟରେ ସଫଳତା ମିଳିପାରିବ ବୋଲି ସେ କହିଥିଲେ ।

ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଟିଇଆର୍ ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍ ) ପ୍ରଫେସର ଧୀରେନ୍ଦ୍ର ନାଥ ଥାଟୋଇ ଏବଂ ଡିନ୍ (ରିସର୍ଚ୍ଚ) ପ୍ରଫେସର ଜୟନ୍ତ କୁମାର ନାଥ ଉପସ୍ଥିତ ଥିଲେ ।

Leave A Reply

Your email address will not be published.