ଜଳେଶ୍ୱରରେ ଉତ୍ତରପ୍ରଦେଶ ବସ୍ ଦୁର୍ଘଟଣା: ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ଘଟଣାଗ୍ରସ୍ତଙ୍କୁ ସମସ୍ତ ସହାୟତା ଯୋଗାଇଲା ପ୍ରଶାସନ

  • ଚାରି ମୃତକଙ୍କ ମରଶରୀର ୟୁପି ପଠାଇବାକୁ ବ୍ୟବସ୍ଥା କଲା ବାଣିଜ୍ୟ ଓ ପରିବହନ ବିଭାଗ
  • ଏସସିବିରେ ଆହତ ୧୨ ଜଣଙ୍କ ଚିକିତ୍ସା, ବିପଦମୁକ୍ତ ଥିବା ସୂଚନା
  • ସୁସ୍ଥ ଯାତ୍ରୀଙ୍କୁ ସମସ୍ତ ସୁବିଧା ସହ ୟୁପି ପଠାଇବେ ଓଡ଼ିଶା ସରକାର
  • ପରିବହନ ଆୟୁକ୍ତ, ଜିଲ୍ଲାପାଳ, ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ
  • ଏସଟିଏ ଓ ପୋଲିସ ପକ୍ଷରୁ ଦୁର୍ଘଟଣାର କାରଣ ଯାଞ୍ଚ 

ଜଳେଶ୍ୱର/ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଉତ୍ତରପ୍ରଦେଶର ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହାସହ ଦୁର୍ଘଟଣାଗ୍ରସ୍ତଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ପରିବହନ ଆୟୁକ୍ତ, ଜିଲ୍ଲାପାଳ ଓ ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରାଯାଇଛି । ଏହି ଦୁର୍ଘଟଣାରେ ଚାରି ଜଣ ବୟସ୍କଙ୍କ ମୃତ୍ୟୁ ହୋଇଛି । ସେଥିରେ ଜଣେ ମହିଳା ଓ ତିନି ଜଣ ପୁରୁଷ ରହିଛନ୍ତି । ମରଶରୀରକୁ ସେମାନଙ୍କ ଘରକୁ ପଠାଇବା ନିମନ୍ତେ ପରିବହନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହାସହ, ଏହି ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ସେମାନେ ବିପଦମୁକ୍ତ ଥିବା ଜଣାଯାଇଛି । ସେହିଭଳି ସାମାନ୍ୟ ଆହତଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଦୁର୍ଘଟଣାଗ୍ରସ୍ତ ଉତ୍ତରପ୍ରଦେଶ ତୀର୍ଥଯାତ୍ରୀଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

 ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରେ ଜାତୀୟ ରାଜପଥ ୧୬ର ଅକ୍ତଳି ନିକଟ ଚଳନ୍ତି ବାଇପାସରେ ଉତ୍ତରପ୍ରଦେଶରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ବସ୍ (UP51AT6297) ରାସ୍ତାର ୬ ଫୁଟ୍ ତଳକୁ ଓଲଟି ପଡ଼ିଥିଲା । ଏହି ଦୁଃଖଦ ଖବର ପାଇବା ମାତ୍ରେ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ସମସ୍ତ ସହାୟତା ପହଞ୍ଚାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଉଦ୍ଧାରକାରୀ ଦଳ, ପୋଲିସ, ପରିବହନ ଅଧିକାରୀ, ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ସ୍ଥଳରେ ତୁରନ୍ତ ପହଞ୍ଚି ସହାୟତା ପହଞ୍ଚାଇଥିଲେ । ପରିବହନ ଆୟୁକ୍ତ ଅମିତାଭ ଠାକୁର, ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ନେତୃତ୍ୱରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା । ତେବେ ଦୁର୍ଘଟଣାସ୍ଥଳରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ବାକି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ସକ୍ଷମ ହୋଇଥିଲେ। ଏଥିରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍ଥାନୀୟ ଲୋକେ ସଂପୂର୍ଣ୍ଣ ସହାୟତା କରିଥିଲେ । ସୁସ୍ଥ ହୋଇଥିବା ଯାତ୍ରୀମାନେ ଚାହିଁଲେ ସେମାନଙ୍କୁ ଉତ୍ତରପ୍ରଦେଶ ନେବାର ସମସ୍ତ ବ୍ୟବସ୍ଥା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍ତି ।

 ରାଜ୍ୟ ପରିବହନ ପ୍ରାଧିକରଣର ବରିଷ୍ଠ ଅଧିକାରୀ, କ୍ରାସ୍ ଇନଭେଷ୍ଟିଗେସନ୍ ଟିମ୍, ସ୍ଥାନୀୟ ଆରଟିଓ ଓ ପୋଲିସ ପକ୍ଷରୁ ଦୁର୍ଘଟଣାର ଯାଞ୍ଚ କରାଯାଉଛି । ପ୍ରାଥମିକ ତଦନ୍ତରୁ ଚାଳକଙ୍କ ତ୍ରୁଟିରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗାଡ଼ି ଚଲାଇବା ବେଳେ ଚାଳକଙ୍କ ଆଖି ଲାଗିଯାଇଥିବା କୁହାଯାଉଛି । ତେବେ ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି ।  

Leave A Reply

Your email address will not be published.