xmas

ପୁଣି ଭାରରେ ବୁହାହେଲେ ରୋଗୀ

ଚିତ୍ରକୋଣ୍ଡା: ଭାରରେ ବୁହାହେଲେ ରୋଗୀ, ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଞ୍ଚାୟତର ରଥଗୁଡା ଗ୍ରାମରେ। ତେବେ କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ସାରିଆପାଲ୍ଲୀ ଗ୍ରାମରୁ ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଞ୍ଚାୟତର ଆରଏସସି-୧୦କୁ ପାହାଡ଼ କାଟି ଏକ ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିର୍ମାଣ ହୋଇଛି। ଏହି ସଡକଟି ନିର୍ମାଣ ହୋଇଛି ସତ କିନ୍ତୁ ନିଳାକାମ୍ବେରୁ ପଂଚାୟତର ମନ୍ତ୍ରୀପୁଟ ଗ୍ରାମ ନିକଟରେ ଏକ ସେତୁ ନିର୍ମାଣ କାର୍ଯ୍ୟ କରାଯାଇନାହିଁ। ଯାହାଫଳରେ ଏହି ବ୍ରିଜର କାର୍ଯ୍ୟ ହୋଇନଥିବା ହେତୁ ଏହି ଝରଣା ଦେଇ ଲୋକେ କେବଳ ବାଇକରେ ହିଁ ଯାତାୟାତ କରିପାରୁଛନ୍ତି। ରାସ୍ତା କାମ ସମ୍ପୂର୍ଣ ହୋଇ ବି ଏହି ସେତୁ କାର୍ଯ୍ୟ ଆରଡି ବିଭାଗ ପକ୍ଷରୁ କରାଯାଉ ନଥିବାରୁ କୌଣସି ଚାରି ଚକିଆ ଯାନ କିମ୍ବା ଆମ୍ବୁଲାନ୍ସ ଗ୍ରାମକୁ ପହଂଚି ପାରୁନାହିଁ। ତେଣୁ ବାଧ୍ୟ ହୋଇ ଗ୍ରାମର ଯଦି କାହାର ସ୍ୱାସ୍ଥ୍ୟବସ୍ଥା ଖରାପ ହୁଏ ତେବେ ଏହିପରି ଭାବେ ଷ୍ଟ୍ରେଚର ମାଧ୍ୟମରେ ଭାରରେ ବୁହା ହୋଇ ରୋଗୀଙ୍କୁ ଅଣୁଛନ୍ତି। ପରେ ସେଠାରୁ ଆସି ଆମ୍ବୁଲାନ୍ସ ରୋଗୀଙ୍କୁ ମେଡିକାଲ ନେଇଯାଉଥିବା ଗ୍ରାମବାସୀ କହିଛନ୍ତି।

ଆଜି ରଥଗୁଡା ଗ୍ରାମର ଡମ ପୂଜାରୀ(୫୦) ଙ୍କ ସ୍ୱାସ୍ଥ୍ୟବସ୍ଥା ଭୀଷଣ ଖରାପ ହୋଇଥିଲା। ଫଳରେ ତାଙ୍କୁ ମେଡିକାଲ ନେବା ବାଟରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଡମଙ୍କୁ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତ ବହୁତ କମ ଅଛି ତେଣୁ ତାଙ୍କୁ ମାଲକାନଗିରି ମୁଖ୍ୟ ଡାକ୍ତରଖାନା ପଠାଯାଇଛି ବୋଲି ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କୁହାଯାଇଛି। ତେବେ ତୁରନ୍ତ ଗ୍ରାମବାସୀ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.