ଆଉ ନାହାନ୍ତି ରତନ ଟାଟା, ୮୬ ବର୍ଷରେ ଆଖି ବୁଜିଲେ

୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଗ୍ରୁପ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା।

ମୁମ୍ବାଇ:: ଆରପାରିରେ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟା। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଗ୍ରୁପ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଗତକାଲି ରାତିରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ପରେ ଶିଳ୍ପପତି ରତନ ଟାଟାଙ୍କ ମୃତଦେହ କୋଲାବା ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି। ତାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ତାଙ୍କୁ ଦର୍ଶନ ପାଇଁ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଏନସିପିଏରେ ରଖାଯିବ।

ରତନ ଟାଟା ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ମୁମ୍ବାଇର କ୍ୟାଥେଡ୍ରାଲ ଏବଂ ଜନ୍ କନନ୍ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ। ସେ ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟରୁ ଆର୍କିଟେକ୍ଚର ଏବଂ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ୧୯୬୨ ରେ ଟାଟା ଗ୍ରୁପରେ ଯୋଗ ଦେବା ପୂର୍ବରୁ ରତନ ଟାଟା ଆମେରିକାରେ କିଛି ସମୟ କାମ କରିଥିଲେ। ୧୯୮୧ମସିହାରେ ତାଙ୍କୁ ଟାଟା ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ କରାଯାଇଥିଲା। ୧୯୯୧ରେ ଜେଆରଡି ଟାଟାଙ୍କ ଅବସର ପରେ ରତନ ଟାଟା ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୨ରେ ତାଙ୍କ ଅବସର ପର୍ଯ୍ୟନ୍ତ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୧୯୯୬ମସିହାରେ ଟାଟା ଟେଲିସର୍ଭିସେସ୍ ପ୍ରତିଷ୍ଠା କରିଥିଲେ, ଯାହା ଫଳରେ ଟେଲିକମ୍ କ୍ଷେତ୍ରରେ ଏହି ଗ୍ରୁପ୍‌ର ସମ୍ପ୍ରସାରଣ ହୋଇଥିଲା। ଟାଟା ସନ୍ସରେ ତାଙ୍କର ନେତୃତ୍ୱ ସମୟରେ ସେ ଟେଟ୍ଲି, କୋରସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି କମ୍ପାନିକୁ ଅଧିଗ୍ରହଣ କରି ଟାଟା ଗ୍ରୁପକୁ ଏକ ଘରୋଇ କମ୍ପାନିରୁ ଏକ ବିଶ୍ୱସ୍ତରୀୟ ପାୱାରହାଉସରେ ପରିଣତ କରିଥିଲେ। ତାଙ୍କ ନେତୃତ୍ୱରେ ଟାଟା ପ୍ରକୃତରେ ୧୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଏକ ବିଶ୍ୱ ବ୍ୟାବସାୟିକ ସାମ୍ରାଜ୍ୟରେ ପରିଣତ ହୋଇଥିଲା। ଟାଟା ଗ୍ରୁପକୁ ଏତେ ଉଚ୍ଚତାକୁ ନେବାରେ ରତନ ଟାଟା ସବୁଠାରୁ ବଡ ଭୂମିକା ଗ୍ରହଣ କରିଥିଲେ। ଡିସେମ୍ବର ୨୦୧୨ରେ ଟାଟା ତାଙ୍କ ପଦରୁ ଅବସର ନେଇଥିଲେ ଏବଂ ତାଙ୍କ ସ୍ଥାନରେ ସାଇରସ ମିସ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା, ଯିଏ କି ୨୦୨୨ରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।  

ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର। ୨୦୧୨ ମସିହାରେ ରକଫେଲାର ଫାଉଣ୍ଡେସନଦ୍ୱାରା ଆଜୀବନ ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଥିଲେ ରତନ ଟାଟା।

ସେ ଦେଶ ତଥା ସାଧାରଣ ଲୋକଙ୍କ ପାଇଁ ଏପରି ଅନେକ କାର୍ଯ୍ୟ କରିଥିଲେ, ଯାହା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ। ରତନ ଟାଟା ଜଣେ ଉଦାର ବ୍ୟକ୍ତି ଥିଲେ ଏବଂ ଅସୁବିଧା ସମୟରେ ଦେଶକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥିଲେ।

ରତନ୍ ଟାଟାଙ୍କ ଭଳି ଜଣେ ବର୍ଷିଆନ୍ ବ୍ୟକ୍ତିତ୍ୱଙ୍କ ନିଧନରେ ସମଗ୍ର ଦେଶ ଶୋକାବିଭୂତ ହୋଇପଡିଛି । ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସେମାନଙ୍କର ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ରତନ ଟାଟା, ଯେତିକି ସଫଳ ଶିଳ୍ପପତି ଥିଲେ, ସେ ମଧ୍ୟ ଜଣେ ମହାନ ଚାଣକ୍ୟ ଥିଲେ । ସେ ଅନେକ ସମୟରେ ଗରିବ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଥିଲେ । ମାନବ କଲ୍ୟାଣ ଦିଗରେ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ରତନ ଟାଟାଙ୍କ ବିୟୋଗ ଦେଶ ପାଇଁ ଏକ ବଡ କ୍ଷତି। ତେବେ ଦେଶ ତାଙ୍କୁ କେବେବି ଭୁଲି ପାରିବ ନାହିଁ। ସେ ଦେଶ ପାଇଁ ଅନେକ ମହତ୍ କାର୍ଯ୍ୟ କରିଥିଲେ।

ଶିଳ୍ପପତି ରତନ ଟାଟାଙ୍କ ମୃତ୍ୟୁ ହେତୁ ଆଜି ମୁମ୍ବାଇରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଛି । ରତନ ଟାଟାଙ୍କ ଦେହାନ୍ତ ପରେ ହସ୍ପିଟାଲ ଯାଇ ଶେଷ ଦର୍ଶନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କହିଛନ୍ତି ରତନ ଟାଟା ମହାରାଷ୍ଟ୍ରର ଗର୍ବ ଥିଲେ। ଦେଶର କୋହିନୋର ଥିଲେ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରତିକ୍ରିୟା ରଖି କହିଛନ୍ତି ବହୁତ ବଡ ହୃଦୟ ଥିବା ବ୍ୟକ୍ତି ଆଜି ଆମକୁ ଛାଡିଛନ୍ତି, ଏହା ଦେଶ ପାଇଁ ଏକ ବଡ କ୍ଷତି।

Leave A Reply

Your email address will not be published.